ଅଯୋଧ୍ୟା ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ପନ୍ନୁର ଧମକ

add-all

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଛି। ସେ ଗୋଟିଏ ଭିଡିଓ ଜାରି କରି ଅଯୋଧ୍ୟାରେ ହିଂସା ହେବ ଓ ସେ ହିନ୍ଦୁତ୍ୱ ବିଚାରଧାରାର ମୂଳଦୁଆକୁ ଦୋହଲାଇ ଦେବ ବୋଲି କହିଛି।
ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସ ସଂଗଠନର ନେତା ପନ୍ନୁ କହିଛି, “ ହିଂସାତ୍ମକ ହିନ୍ଦୁତ୍ୱ ବିଚାରଧାରାର ଜନ୍ମସ୍ଥାନ ଅଯୋଧ୍ୟାର ମୂଳଦୁଆକୁ ଆମେ ଦୋହଲାଇ ଦେବୁ। ନଭେମ୍ବର ୧୬ ଓ ୧୭ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ସହ ଅନ୍ୟ ସ୍ଥାନରେ ମଧ୍ୟ ବିସ୍ଫୋରଣ ହେବ।”
ପନ୍ନୁର ଧମକ ପରେ ରାମ ମନ୍ଦିରର ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର କହିଛନ୍ତି, “ଅଯୋଧ୍ୟା ପୂର୍ବରୁ ହିଁ ପୁଲିସ୍‌ ଓ ଅର୍ଦ୍ଧ ସାମରିକ ବଳର ସୁରକ୍ଷା ବଳୟ ମଧ୍ୟରେ ରହିଛି। ସେମାନେ ସମସ୍ତ ପ୍ରକାରର ଆତଙ୍କୀ ବିପଦକୁ ଟାଳିବା ପାଇଁ ପ୍ରସ୍ତୁତ। ପୁଲିସ୍‌ ଭାରଇରାଲ ହେଉଥିବା ପନ୍ନୁର ଧମକ ବାର୍ତ୍ତାର ସତ୍ୟତା ଯାଞ୍ଚ କରୁଛି।”
ଆଉ ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, କାର୍ତ୍ତିକ ପରିକ୍ରମା ମେଳା ପାଇଁ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାର୍ତ୍ତିକ ପରିକ୍ରମା ମେଳା ନଭେମ୍ବର ୧୫ରେ ଶେଷ ହେବ।
ପୂର୍ବରୁ ମଧ୍ୟ ଖଲିସ୍ତାନ ଓ ଅନ୍ୟ ଆତଙ୍କୀ ସଂଗଠନ ଏପରି ଧମକ ଦେବାର ନଜିର ରହିଛି। ଏହାର ମୁକାବିଲା ପାଇଁ ସୁରକ୍ଷାକର୍ମୀ ସବୁବେଳେ ପ୍ରସ୍ତୁତ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ad-week
Leave A Reply

Your email address will not be published.