ନିଖୋଜ ଯୁବତୀଙ୍କ ମୃତଦେହ ୬ ଦିନ ପରେ ପୋଖରୀରୁ ଉଦ୍ଧାର

add-all

ଦଶପଲ୍ଲା : କାହାକୁ କିଛି ନକହି ଘରୁ କେଉଁ ଆଡେ ଚାଲି ଯାଇଥିଲେ ୧୯ ବର୍ଷୀୟା ଯୁବତୀ। ନିଖୋଜ ହେବାର ୬ ଦିନ ପରେ ଗାଁ ପୋଖରୀରୁ ମିଳିଲା ଯୁବତୀଙ୍କ ମୃତଦେହ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି।
ଦଶପଲ୍ଲା ଥାନା ସରିଗଣ୍ଡା ଗାଁର ଚିରଞ୍ଜିବୀ ପ୍ରଧାନଙ୍କ ଏକ ମାତ୍ର ୧୯ ବର୍ଷୀୟ ଝିଅ ରଚନା ପ୍ରଧାନ ୬ ଦିନ ତଳେ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ଝିଅକୁ ଚାରିଆଡେ ଖୋଜିଥିଲେ। ମାତ୍ର ପାଇନଥିଲେ। ପରେ ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ଝିଅକୁ ନପାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ।
ଆଜି ଅପରାହ୍ନରେ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏକ ପୋଖରୀରେ ରଚନାଙ୍କ ମୃତଦେହ ଭାସୁଥିବା ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ସେ ଏନେଇ ପରିବାର ଲୋକଙ୍କୁ କହିଥିଲେ। ତା’ପରେ ଗାଁ ଲୋକେ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ୍‌ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ରଚନାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ତେବେ ରଚନାଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲେ ମୃତ୍ୟୁର କରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ad-week
Leave A Reply

Your email address will not be published.