ପ୍ରିୟଙ୍କା ଗାନ୍ଧି ଭଦ୍ରା ରୋଡ ଶୋ’ କରୁଥିବା ବେଳେ ବିଜେପି ସମର୍ଥକ ଦଳର ପତାକା ଉଡ଼ାଇ ନାରାବାଜୀ କଲେ

add-all

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କ ଗାନ୍ଧି ଭଦ୍ରା ରବିବାର ନାଗପୁରରେ ବିଶାଳ ରୋଡ ଶୋ’ କରିଛନ୍ତି। ସେ ରୋଡ ଶୋ’ କରୁଥିବା ବେଳେ କିଛି ବିଜେପି ସମର୍ଥକ ତାଙ୍କୁ ଦେଖି ଗୋଟିଏ ବିଲଡିଂ ଉପରେ ରହି ଦଳର ପତାକା ଉଡ଼ାଇ ନାରାବାଜୀ କରିଥିଲେ।
ହେଲେ ଏଥିରେ ପ୍ରିୟଙ୍କା ବିଚଳିତ ନ ହୋଇ ହସିହସି ସେମାନଙ୍କୁ ସମ୍ବୋଧନ କରିବା ସହ ବୁଧବାର ହେବାକୁ ଥିବା ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ନାଗପୁରରେ ଆରଏସଏସର ମୁଖ୍ୟାଳୟ ରହିଛି। ଏହି ସହର ବିଜେପିର ଗଡ଼। ନାଗପୁର ଲୋକସଭା ଆସନରୁ କ୍ରମାଗତ ଭାବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ୨୦୧୪ରୁ ବିଜୟୀ ହୋଇ ଆସୁଛନ୍ତି। ସେହିପରି ନାଗପୁରରେ ଥିବା ୬ଟି ବିଧାନସଭା ଆସନରୁ ବିଜେପି ପାଖରେ ୪ଟି ରହିଛି।
ତଥାପି ପ୍ରିୟଙ୍କା ରବିବାର ଏଠାରେ ବିଶାଳ ରୋଡ ଶୋ’ କରି ନିଜର ଶକ୍ତିପ୍ରଦର୍ଶନ କରିଛନ୍ତି। ତାଙ୍କ ରୋଡ ଶୋ’ ପଶ୍ଚିମ ନାଗପୁର ଓ କେନ୍ଦ୍ରୀୟ ନାଗପୁରରେ ଅନୁଷ୍ଠିତ ହୋଇଛି। ପଶ୍ଚିମ ନାଗପୁର ଏବେ କଂଗ୍ରେସ ପାଖରେ ଥିବା ବେଳେ ୨୦୦୯ରୁ କେନ୍ଦ୍ରୀୟ ନାଗପୁର ବିଜେପି ପାଖରେ ଅଛି।
ଲୋକଙ୍କ ଭିଡ଼ରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଗାଡ଼ି ଆଗକୁ ଯାଉଥିବା ବେଳେ ସେ ବିଲଡିଂ ଉପରେ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ତେବେ ରୋଡ ଶୋ’ ଶେଷ ହେବାର ଠିକ ପୂର୍ବରୁ କିଛି ଲୋକ ଗୋଟିଏ ବିଲଡିଂ ଉପରେ ଛିଡ଼ା ହୋଇ ପ୍ରିୟଙ୍କାଙ୍କ ଉଦ୍ଦେଶ୍ୟରେ ବିଜେପି ପତାକା ହଲାଇଥିଲେ। ଏଥିସହ ସେମାନେ ଦଳ ସପକ୍ଷରେ ନାରାବାଜୀ କରିଥିଲେ।
କଂଗ୍ରେସ କର୍ମୀମାନେ ମଧ୍ୟ ନାରାବାଜୀ କରିଥିଲେ। ଗୋଟିଏ ସମୟରେ ପ୍ରିୟଙ୍କା ମାଇକ୍ରୋଫୋନ ଆଣି ବିଜେପି ସମର୍ଥକମାନଙ୍କୁ ସମ୍ବୋଧନ କରିଥିଲେ। ସେ କହିଥିଲେ, “ବିଜେପିରେ ଥିବା ମୋର ବନ୍ଧୁମାନଙ୍କୁ ନିର୍ବାଚନ ପାଇଁ ଶୁଭେଚ୍ଛା। କିନ୍ତୁ ମହା ବିକାଶ ଅଘାଡ଼ି ନିର୍ବାଚନ ଜିତିବାକୁ ଯାଉଛି।” ତାଙ୍କର ଏପରି ସ୍ମିଥ ହାସ୍ୟ ଭରା କଥା ଶୁଣି କଂଗ୍ରେସ କର୍ମୀମାନେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ad-week
Leave A Reply

Your email address will not be published.