
ପେରୁ: ପେରୁର ଏଣ୍ଡିଜରେ ବଡ଼ ଧରଣର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୬.୯ ଥିବା ଜଣାପଡିଛି । ଭାରତୀୟ ସମୟ ଅନୁସାରେ ଶନିବାର ସକାଳେ ଏହି ଭୂମିକମ୍ପ ହୋଇଥିବା ବେଳେ ସ୍ଥାନୀୟ ସମୟ ଅନୁସାରେ ଶୁକ୍ରବାର ସନ୍ଧ୍ୟା ୭ଟା ୯ ମିନିଟ୍ରେ ଝଟକା ଲାଗିଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ବଡ଼ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଏଣ୍ଡିଜ୍ ଅଞ୍ଚଳର ଜୁନିନ୍ଠାରୁ ୩୪ କିଲୋମିଟର ଉତ୍ତରରେ ରହିଥିଲା । ଭୂପୃଷ୍ଠଠାରୁ ୧୦୮ କିଲୋମିଟର ଗଭୀରରେ ଏହା ସୃଷ୍ଟି ହୋଇଥିଲା । ଭୂମିକମ୍ପର ଝଟକା ପେରୁର ରାଜଧାନୀ ଲିମାରେ ମଧ୍ୟ ଅନୁଭୂତ ହୋଇଥିଲା । ଭୟଭୀତ ହୋଇ ଲୋକମାନେ ଘରୁ ବାହାରି ରାସ୍ତାକୁ ଚାଲିଆସିଥିଲେ । ପେରୁର ଜିଓଫିଜିକାଲ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ଭୂମିକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ, ପେରୁ ‘ରିଙ୍ଗ୍ ଅଫ୍ ଫାୟାର୍’ ଅଞ୍ଚଳରେ ଅବସ୍ଥିତ । ପ୍ରଶାନ୍ତ ମହାସାଗରକୁ ଘେରି ରହିଥିବା ପ୍ରାୟ ୪୦ ହଜାର କିଲୋମିଟର ଲମ୍ବା ଏହି ଅଞ୍ଚଳରେ ଅନେକ ଆଗ୍ନେୟଗିରି ଓ ଭୂତାତ୍ତ୍ୱିକ ଫଲ୍ଟ ଲାଇନ୍ ରହିଛି । ଏଠାରେ ବିଶ୍ୱର ଅଧିକାଂଶ ଭୂମିକମ୍ପ ଘଟିଥାଏ । ଏହା ପୂର୍ବରୁ ଅଗଷ୍ଟ ମାସରେ ପେରୁର ଆଣ୍ଡିଜ୍ ଅଞ୍ଚଳରେ ୬.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ ଦୁଇ ଜଣ ଆହତ ହେବା ସହ ଅନେକ ଘର, ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ଜୁଲାଇରେ ଜୁନିନ୍ ଅଞ୍ଚଳରେ ୫.୫ ତୀବ୍ରତାର ଭୂମିକମ୍ପରେ ୬ ଜଣଙ୍କ ମୃତ୍ୟୁ ଓ ୩୦ ଜଣ ଆହତ ହୋଇଥିଲେ ।
