ନିର୍ବାଚନ ପୂର୍ବରୁ ଆପ୍‌ର ‘ରାବିଡି ପେ ଚର୍ଚ୍ଚା’, ଦେଲା ୭ ପ୍ରତିଶ୍ରୁତି

add-all

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ଆପ୍‌ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ରାବିଡି ପେ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଏହି ପ୍ରଚାର କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦିଲ୍ଲୀବାସୀଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।

ଦିଲ୍ଲୀର ଆପ୍‌ ସରକାର ବିଭିନ୍ନ ପ୍ରକାରର ମାଗଣା ଯୋଜନା ଲାଗୁ କରିଛି। ଏହାକୁ ବିଜେପି ଅନେକ ସମୟରେ କଟାକ୍ଷ କରିବା ସହ ଆପ୍‌ ଲୋକଙ୍କୁ ରାବିଡି ଦେଉଥିବା କହୁଛି। ଏଥିପାଇଁ ଆପ୍‌ ରାବିଡି ପେ ଚର୍ଚ୍ଚା ନାଁରେ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଆପ୍‌ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଲୋକଙ୍କୁ ୭ଟି ଯୋଜନାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।

କେଜ୍ରିୱାଲଙ୍କ କହିବା କଥା ଯେ ଦଳର ଜିଲ୍ଲା ଓ ବୁଥ ସ୍ତରୀୟ କର୍ମକର୍ତ୍ତାମାନେ ୬୫ ହଜାର ମିଟିଂ ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିବେ। ଆପ ସରକାର ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ସେବାଗୁଡ଼ିକ ଉଲ୍ଲେଖ ଥିବା ପାମଫ୍ଲେଟ ବାଣ୍ଟିବେ। ଆପ ପକ୍ଷରୁ ଲୋକଙ୍କୁ ମାଗଣା ବିଜୁଳି, ପାଣି, ଶିକ୍ଷା, ମୋହଲା କ୍ଲିନକରେ ଚିକିତ୍ସା, ମହିଳାଙ୍କ ବସ ଯାତ୍ରା, ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥ ଯାତ୍ରା ଓ ମହିଳମାନଙ୍କୁ ମାସିକ ୧ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ କହିଛନ୍ତି, “ଦେଶର ଜାତୀୟ ରାଜଧାନୀ ଗୋଟିଏ ଅଧା ରାଜ୍ୟ। ଦିଲ୍ଲୀ ସରକାରଙ୍କ ତୁଳନାରେ କେନ୍ଦ୍ର ପାଖରେ ଅଧିକ କ୍ଷମତା ରହିଛି। ଗଲା ୧୦ ବର୍ଷ ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦିଲ୍ଲୀ ପାଇଁ କ’ଣ ସବୁ କରିଛନ୍ତି ବୋଲି ଆପ୍‌ କର୍ମୀମାନେ ଲୋକଙ୍କୁ ପ୍ରଶ୍ନ କରିବେ। ବିଜେପି ପ୍ରାୟ ୨୦ଟି ରାଜ୍ୟରେ କ୍ଷମତାରେ ରହିଛି।

ହେଲେ ଆପ ଦେଉଥିବା ମାଗଣା ସେବା କୌଣସି ଗୋଟିଏ ରାଜ୍ୟରେ ମିଳୁନାହିଁ। ଏଥିପାଇଁ ସେମାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ମାଗଣା ସେବା କେମିତି ଯୋଗାଇ ଦିଆଯିବ, ସେକଥା କେବଳ ଆପ ଜାଣିଛି। ବିଜେପି କେବଳ ନିର୍ବାଚିତ ସରକାର କାମ ଅଟକାଇବା ଜାଣିଛି।”

ଗତ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ହରଦୀପ ସିଂହ ପୁରୀ ପୂର୍ବାଞ୍ଚଳୀ ସଂପ୍ରଦାୟର ଲୋକଙ୍କୁ ମିଥା ପ୍ରତିଶ୍ରୁତି ଦେଇଥିଲେ ବୋଲି ମଧ୍ୟ କେଜ୍ରିୱାଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଅନାଧିକୃତ କଲୋନୀଗୁଡ଼ିକର ପଞ୍ଜୀକରଣ ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୫ ବର୍ଷ ମଧ୍ୟରେ ସେମାନେ ଗୋଟିଏର ବି ପଞ୍ଜୀକରଣ କରିନାହାନ୍ତି। ଏପରି ସ୍ଥିତିରେ ଆମେ ପୂର୍ବାଞ୍ଚଳୀ ଲୋକଙ୍କୁ ସମ୍ମାନର ଜୀବନ ଧାରଣର ବ୍ୟବସ୍ଥା କରିଛୁ।”

ନିକଟରେ ଆପ୍‌ ପକ୍ଷରୁ ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୧୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା। ଏହି ୧୧ ଜଣଙ୍କ ମଧ୍ୟରୁ ୬ ଜଣ ଦଳ ବଦଳ କରି ଆପ୍‌କୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ବିଜେପିରେ ଓ ଆଉ ୩ ଜଣ କଂଗ୍ରେସରେ ରହିଥିଲେ।

ad-week
Leave A Reply

Your email address will not be published.