ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି

add-all

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ଆଜି ରାତି କିମ୍ବା ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ। ଏନେଇ ମହାୟୁତିରେ ଥିବା ବିଜେପି, ଶିବସେନା ଓ ଏନସିପିର ନେତୃବୃନ୍ଦ ଦିଲ୍ଲୀରେ ଡେରା ପକାଇଛନ୍ତି। ସେଠାରେ ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ କରିବେ।
ହେଲେ ଏହାପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇସାରିଛି। ସେହିପରି ବିଜେପି ମହାରାଷ୍ଟ୍ରର କ୍ୟାବିନେଟର ଅଧା ପଦ ନିଜ ପାଖରେ ରଖିବ। ମେଣ୍ଟରେ ଥିବା ଏକନାଥ ସିନ୍ଦେଙ୍କ ଶିବସେନାକୁ କେବଳ କିଛି ହାତ ଗଣତି କ୍ୟାବିନେଟ ପଦ ମିଳିବ ବୋଲି ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ବିଜେପି ମହାୟୁତି ମେଣ୍ଟରେ ବଡ଼ ଭାଇ ଭୂମିକାରେ ରହିବ। ବିଜେପି ଅଧୀନରେ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି କାମ କରିବେ। ଏକନାଥ ସିନ୍ଦେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ରେସରୁ ଓହରି ଯାଇଥିବା ସଙ୍କେତ ଦେଇଥିବାରୁ ଫଡନାଭିସ ଶୀର୍ଷ ପଦକୁ ଫେରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।
ବିଜେପି ପକ୍ଷରୁ ସିନ୍ଦେ ସେନାକୁ ମହାରାଷ୍ଟ୍ରରେ ୧୨ଟି କ୍ୟାବିନେଟ ପଦ ଦିଆଯିବ। ଏହା ମଧ୍ୟରେ ୩ଟି ବଡ଼ ବିଭାଗ ରହିବ। ସେହିପରି ମେଣ୍ଟରେ ଥିବା ତୃତୀୟ ଦଳ ହେଉଛି ଅଜିତ ପାୱାରଙ୍କ ଏନସିପି। ମହାରାଷ୍ଟ୍ର ସରକାରରେ ଏନସିପିକୁ କେବଳ ୯ଟି ମନ୍ତ୍ରୀ ପଦ ମିଳିବ। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ବିଜେପିର ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଘୋଷଣା କରିଥିବା ଏକନାଥ ସିନ୍ଦେ କେନ୍ଦ୍ରକୁ ଯିବେ। ତାଙ୍କୁ କେନ୍ଦ୍ର ସରକାର ନଗର ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ ମନ୍ତ୍ରଣାଳୟ ଦେବେ। ମହାରାଷ୍ଟ୍ରରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଯାଉଥିବା ବେଳେ ଶିବସେନା ଓ ଏନସିପି ଉପ ମୁଖ୍ୟମନ୍ତ୍ରୀ ପଦ ପାଇବେ।

ad-week
Leave A Reply

Your email address will not be published.