ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ‘ଫେଙ୍ଗଲ’, ୩ ମୃତ

add-all

ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଙ୍ଗଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଲ୍ୟାଣ୍ଡିଂ ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିଥିଲା। ଫଳରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଚେନ୍ନାଇରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ହୋଇଛି।

ବିଭିନ୍ନ ସ୍ଥାନରେ ଘରଦ୍ୱାର ନଷ୍ଟ ହେବା ସହ ବଡବଡ ଗଛ ଉପୁଡ଼ି ପଡ଼ିଛି। ଲଗାଣ ବର୍ଷାଯୋଗୁ ଚେନ୍ନାଇରେ ଗମ୍ଭୀର ଗୁରୁତର ସ୍ଥିତି ସୃଷ୍ଟି ହୋଇଛି। ପୁଡୁଚେରୀ, ଚେନ୍ନାଇ, ବିଶାଖାପାଟଣା, ମହାବଳୀପୁରମ ଅଞ୍ଚଳର ଲୋକେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ-ରାଞ୍ଚି ବିମାନ ସେବାକୁ ରଦ୍ଦ କରାଯାଇଛି। ପ୍ରବଳ ବର୍ଷା ଓ ବାତ୍ୟା କାରଣରୁ ଚେନ୍ନାଇ ବିମାନବନ୍ଦରରେ ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। କିନ୍ତୁ ପବନର ଗତିକୁ ଦୃଷ୍ଟିରେ ରଖି ଏହାକୁ ରବିବାର ଭୋର ୪ଟା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ହେଲେ ୧୬ ଘଣ୍ଟା ପରେ ବିମାନ ବନ୍ଦର ପୁଣି ଥରେ ଖୋଲିଛି।

ସେହିପରି କେତେକ ରୁଟରେ ରେଳ ଯାତ୍ରା ମଧ୍ୟ ସ୍ଥଗିତ ରଖାଯାଇଛି। ବାତ୍ୟା ପରେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବିଭିନ୍ନ ଅଞ୍ଚଳ ପାଇଁ ଟୋଲଫ୍ରି ନମ୍ବର ଜାରି କରାଯାଇଛି।

ତାମିଲନାଡୁ ସରକାର ଚେନ୍ନାଇ, ତିରୁବଲ୍ଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପଟ୍ଟୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଆଇଟି କଂପାନିଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.