ତୃତୀୟ ଭାରତୀୟ ଧାନ ସମ୍ମିଳନୀ ୨୦୨୪ ଅନୁଷ୍ଠିତ

add-all

କଟକ: ଜାତୀୟ ଧାନ ଗବେଷଣା ସମ୍ମିଳନୀ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଧାନ ଗବେଷଣା କାଉନସିଲର ମିଳିତ ଆନୁକୁଲ୍ୟରେ ଗୁରୁବାର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପରିଷଦଠାରେ ଭାରତୀୟ ଧାନ ସମ୍ମିଳନୀର ତୃତୀୟ ଧାନ କଂଗ୍ରେସ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଧାନ ଗବେଷକ ସଂଘ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି। କୃଷି ଉତ୍ପାଦନ ବୃଦ୍ଧି ଏବଂ ଚାଷୀମାନଙ୍କର ହିତ ଦୃଷ୍ଟିରୁ ୧୯୬୧ ମସିହାରୁ ଧାନ ଗବେଷଣା ଗବେଷକ ସଂଘ ସ୍ଥାପିତ ହୋଇଛି। ଭାରତୀୟ ଧାନ କଂଗ୍ରେସ ପକ୍ଷରୁ ଆଜି ଏହି ସମ୍ମିଳନୀରେ ପୁଷ୍ଟିକର ଏବଂ ଜୀବିକା ପାଇଁ ୫ଜି ଚାଉଳ ଭିତ୍ତିକ କୃଷି ଖାଦ୍ୟ ପ୍ରଣାଳୀ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଛି। ଭାରତୀୟ କୃଷି ଗବେଷଣା ଓ ଶିକ୍ଷା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜୀବିକାର ବିକାଶ ପାଇଁ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ନେଇ ଆଲୋଚନା କରି କହିଛନ୍ତି, ଆଧୁନିକ ବିଜ୍ଞାନ ଯୁଗରେ ଧାନ ଆମ ପରମ୍ପରା ସହିତ ଜଡ଼ିତ। ଧାନ ଏପରି ଏକ ଫସଲ ଯାହାକି ଜଳବାୟୁ ପରିବର୍ତ୍ତନ ହେଲେ ମଧ୍ୟ ଧାନର ବିଶେଷ କିଛି କ୍ଷତି ହୁଏନାହିଁ। ଧାନ ଫସଲର ୫ଜି ଜ୍ଞାନ କୌଶଳ ବ୍ୟବହାର କରି ଏହାର ଉତ୍ପାଦନ ଓ ଉତ୍ପାଦକତା ବଢ଼ାଯାଇ ପାରିବ ତାହାରି ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଶ୍ବଭାରତୀର କୁଳପତି ଡକ୍ଟର ସପନ କୁମାର ଦତ୍ତ, ଧାନ କଂଗ୍ରେସର ସଭାପତି ଡକ୍ଟର ପୱନ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଧାନ ଫସଲ କିପରି ଅଧିକ ଜ୍ଞାନ କୌଶଳ ପ୍ରୟୋଗ କରି ଉତ୍ପାଦନ ହୋଇପାରିବ ସେନେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥି ବୃନ୍ଦ ବିଭିନ୍ନ ସ୍ମରଣିକା ଏବଂ ଧାନ କଂଗ୍ରେସର ପୁସ୍ତିକା ଉନ୍ମୋଚନ କରିଥିଲେ। ଧାନ ଗବେଷଣା କ୍ଷେତ୍ରରେ ସଫଳତା ଲାଭ କରିଥିବା ବୈଜ୍ଞାନିକ ତଥା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିସର ମଧ୍ୟରେ ଏକ କୃଷି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି ତିନିଦିନିଆ ତୃତୀୟ ଭାରତୀୟ ଧାନ କଂଗ୍ରେସରେ ଭାରତର ବିଭିନ୍ନ ସ୍ଥାନରୁ ୩୦୦ରୁ ଊର୍ଦ୍ଧ୍ବ ବୈଜ୍ଞାନିକ ତଥା କୃଷି ବିଶେଷଜ୍ଞ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ସଭାପତିତ୍ବ କରି ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଧାନ ଗବେଷକ ସଂଘର ସମ୍ପାଦକ ଡକ୍ଟର ଆନି ପୁନମ୍ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.