ଦିଲ୍ଲୀ ରାଜ୍ୟପାଳଙ୍କୁ ଭେଟିଲେ ମୌଲବୀ; ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦାବି

add-all

ନୂଆଦିଲ୍ଲୀ : ବାଂଲାଦେଶରେ ଜାରି ରହିଥିବା ହିନ୍ଦୁ ବିରୋଧୀ ହିଂସାକୁ ଭାରତରେ ଜୋରଦାର ବିରୋଧ ହେଉଛି। ଏହି କ୍ରମରେ ବାଂଲାଦେଶ ହିଂସାକୁ ବିରୋଧ କରି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିଛନ୍ତି ହଜରତ ନିଜାମୁଦ୍ଦିନ ଦର୍ଘା ଅଞ୍ଚଳର ମୌଲବୀ ଓ ସ୍ଥାନୀୟ ବାସିନ୍ଦା। ଏହି ପ୍ରତିନିଧୀ ଦଳ ଶନିବାର ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟି ସହରରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରି ତାଙ୍କ ଦେଶକୁ ତଡ଼ିଦେବା ପାଇଁ ଦାବି କରିଛନ୍ତି।
ଦିଲ୍ଲୀ ରାଜ ନିବାସ ଜାରି କରିଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ହିଂସାକୁ ନେଇ ହଜରତ ନିଜାମୁଦ୍ଦିନ ଦର୍ଘା ଅଞ୍ଚଳର ପ୍ରତିନିଧୀ ଦଳ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବାଂଲାଦେଶରେ ହିନ୍ଦୁମାନଙ୍କର ଅବସ୍ଥା ଏବଂ ସେହି ଦେଶର ବର୍ତ୍ତମାନର ସ୍ଥିତି ଚିନ୍ତାଜନକ ବୋଲି ଉପରାଜ୍ୟପାଳଙ୍କୁ ଦେଇଥିବା ଏକ ଦାବିପତ୍ରରେ ସେମାନେ ଲେଖିଛନ୍ତି। ଏହା ସହିତ ଦିଲ୍ଲୀରେ ଅନୁପ୍ରବେଶ କରି ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ସେମାନଙ୍କୁ ଭଡା ଘର ବା କୌଣସି ପ୍ରତିଷ୍ଠାନରେ ଚାକିରି ମିଳିବା ଉଚିତ୍ ନୁହେଁ ବୋଲି ସେମାନେ କହିଛନ୍ତି। ଏପରିକି କୌଣସି ଧାର୍ମିକ ସ୍ଥାନ ସେମାନଙ୍କୁ ଆଶ୍ରୟ ନଦେଇ ଘଉଡାଇଦେବା ଉଚିତ୍ ବୋଲି ସେମାନେ କହିଛନ୍ତି।
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଦିଲ୍ଲୀରେ ଜବରଦଖଲ ହୋଇଥିବା ସରକାରୀ ଜମି, ଫୁଟପାଥ, ପାର୍କ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରୁ ଏମାନଙ୍କୁ ହଟାଇବାକୁ ଉପରାଜ୍ୟପାଳଙ୍କୁ ଭେଟିଥିବା ମୌଲବୀ ଓ ମୁସଲିମ ସଂପ୍ରଦାୟର ଅନ୍ୟ ସଦସ୍ୟମାନେ କହିଛନ୍ତି। ଏନେଇ ଦିଲ୍ଲୀ ପୁଲିସ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଉପରାଜ୍ୟପାଳଙ୍କୁ ଏମାନେ ଦାବି କରିଛନ୍ତି। ଏଭଳି ବେଆଇନ ଅନୁପ୍ରବେଶକାରୀଙ୍କୁ ଯଦି ଆଧାର କାର୍ଡ, କିମ୍ବା ଭୋଟର ଆଇ-କାର୍ଡ ଭଳି କୌଣସି ସରକାରୀ ପରିଚୟ ପତ୍ର ଦିଆଯାଇଛି, ଏହାକୁ ତୁରନ୍ତ ବାତିଲ କରାଯିବା ଉଚିତ୍ ବୋଲି ଏମାନେ ଦାବିରେ ଦର୍ଶାଇଛନ୍ତି।

ad-week
Leave A Reply

Your email address will not be published.