ଲୁହ ବୁହା ଗ୍ୟାସ ପରେ ଚାଷୀଙ୍କ ଉପରକୁ ଫୁଲ ପକାଇଲା ପୁଲିସ୍‌, ଦିନକ ପାଇଁ ବନ୍ଦ ହେଲା ପଦଯାତ୍ରା

add-all

ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ଉପରେ ଆଇନଗତ ମାନ୍ୟତା ଦାବି କରି ଆଜି ପୁଣିଥରେ ପଞ୍ଜାବ-ହରିୟାଣା ବର୍ଡର ଶମ୍ଭୁ ଠାରୁ ୧୦୧ ଜଣ ଚାଷୀ ଆରମ୍ଭ କରିଥିବା ଦିଲ୍ଲୀ ଚଲୋ ଯାତ୍ରାକୁ ପୁଣି ଗୋଟିଏ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଆଜି ସେମାନେ ମଧ୍ୟାହ୍ନ ସମୟରେ ପଦଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଶମ୍ଭୁ ସୀମାନ୍ତରେ ଲାଗିଥିବା ବ୍ୟାରିକେଡ ନିକଟରେ  ପହଞ୍ଚିବା କ୍ଷଣି ପୁଲିସ୍‌ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା। 

ବିକ୍ଷୋଭକାରୀମାନେ ବ୍ୟାରିକେଡ ଆଡ଼କୁ ମାଡ଼ି ଆସୁଥିବା ବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଟିୟର ଗ୍ୟାସ ସେଲ ମାଡ଼ କରିଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି।

ପୁଲିସ୍‌ ପକ୍ଷରୁ ଚାଷୀମାନଙ୍କୁ ଦିଲ୍ଲୀ ଚଲୋ ଯାତ୍ରା ପାଇଁ ମିଳିଥିବା ଅନୁମତିପତ୍ର ଦେଖାଇବାକୁ କୁହାଯାଇଥିଲା। ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା। ବେଶ କିଛି ସମୟ ଉତ୍ତେଜନା ପରେ ଚାଷୀମାନେ ପୁଣି ବ୍ୟାରିକେଡ ଠାରୁ ପଛକୁ ଘୁଞ୍ଚି ରାସ୍ତାରେ ବିକ୍ଷୋଭ ଆରମ୍ଭ କରିଛନ୍ତି।

ଏହି ସମୟରେ ପ୍ରଥମେ ଲୁହ ବୁହା ଗ୍ୟାସ ମାଡ଼ କରିଥିବା ପୁଲିସ୍‌ ସେମାନଙ୍କ ଉପରକୁ ଫୁଲ ପାଖୁଡ଼ା ପକାଇ ଆଶ୍ୱସନା ଦେବାକୁ ଚେଷ୍ଟା କରିଛି। ପୁଲିସ ଫୁଲ ପକାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଫୁଲ ପକାଇ ପୁଲିସ୍‌ ଚାଷୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟୀ ରଖିବାକୁ ମଧ୍ୟ ନିବେଦନ କରିଛି।

ତେବେ ପୁଲିସର ଲୁହ ବୁହା ଗ୍ୟାସ ମାଡ଼ ଯୋଗୁ ପୁଣିଥରେ କିଛି ଚାଷୀ ଆହତ ହୋଇଛନ୍ତି। ଏଥିପାଇଁ ଚାଷୀମାନେ ସେମାନଙ୍କ ଦିଲ୍ଲୀ ଚଲୋ ଯାତ୍ରାକୁ ଗୋଟିଏ ଦିନ ବନ୍ଦ ରଖିବାକୁ ନିଷ୍ପିତ୍ତି। ଶମ୍ଭୁ ସୀମାନ୍ତଙ୍କୁ ବିକ୍ଷୋଭ ପ୍ରତ୍ୟାହାର ହେଉଥିବା ଚାଷୀ ନେତା ସରବନ ସିଂହ ପାନ୍ଧେର ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଆଜି ଆମେ ଦିଲ୍ଲୀ ଚଲୋ ଯାତ୍ରାକୁ ପ୍ରତ୍ୟାହାର କରୁଛୁ। କିନ୍ତୁ ଆଜି ବିକ୍ଷୋଭ ଜାରି ରହିବ। ଟିୟର ଗ୍ୟାସ ସେଲ ମାଡ଼ରେ ଜଣେ ଚାଷୀ ଗୁରୁତର ହୋଇ ପିଜିଆଇରେ ଭର୍ତ୍ତି ହୋଇଛନ୍ତି। ଆହୁରି ୮ରୁ ୯ ଜଣ ଆହତ ହୋଇଛନ୍ତି। ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ଆଗାମୀ ଦିନରେ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି।

ବିକ୍ଷୋଭ କରୁଥିବା ଜଣେ ଚାଷୀ କହିଛନ୍ତି, “ପୁଲିସ୍‌ ଆମକୁ ପରିଚୟ ପତ୍ର ମାଗିଥିଲା। ହେଲେ ସେମାନେ ଆମକୁ ଦିଲ୍ଲୀ ଯିବାକୁ ଅନୁମତି ଦେବାକୁ ଗ୍ୟାରେଣ୍ଟୀ ଦେଇ ନଥିଲେ। ଦିଲ୍ଲୀ ଯିବାକୁ ଅନୁମତି ନଥିବା ସେମାନେ କହିଥିଲେ। ଏପରି ସ୍ଥିତିରେ ଆମେ କାହିଁକି ପରିଚୟପତ୍ର ଦେଖାଇବୁ? ସେମାନେ ଯଦି ଦିଲ୍ଲୀ ଯିବାକୁ ଆମକୁ ଅନୁମତି ଦେବେ, ତା’ହେଲେ ଆମେ ସେମାନଙ୍କୁ ପରିଚୟପତ୍ର ଦେଖାଇବୁ।”

ତେବେ ପୁଲିସ୍‌ ଦାବି କରିଛି ଯେ ଦିଲ୍ଲୀ ଚଲୋ ପାଇଁ ଡାକରେ ଦେଇଥିବା ୧୦୧ ଚାଷୀଙ୍କ ବଦଳରେ ଅନ୍ୟ ଚାଷୀମାନେ ମଧ୍ୟ ଏକାଠି ହୋଇ ବ୍ୟାରିକେଡ ଆଡ଼କୁ ମାଡ଼ି ଆସିଥିଲେ। ପରିଚୟପତ୍ର ମାଗିବାରୁ ସେମାନେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍‌ର ଏପରି ଦାବିକୁ ଚାଷୀମାନେ ଖଣ୍ଡନ କରିଛନ୍ତି। ଏହାକୁ ନେଇ ଏବେ ବି ଶମ୍ଭୁ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି। ଶତାଧିକ ଚାଷୀ ସୀମା ନିକଟରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ଚାଷୀଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ପଞ୍ଜାବ-ହରିୟାଣା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଓ ଲୁହା ତାର ଲଗାଯାଇଛି।

ଏପରି କି ସୀମାନ୍ତରେ ୧୬୩ ଧାରା(ପୂର୍ବରୁ ୧୪୪ ଧାରା ଥିଲା) ଲାଗୁ କରାଯାଇଛି। ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଶମ୍ଭୁ ବ୍ୟତୀତ ଖାନାଉରି ସୀମାନ୍ତକୁ ମଧ୍ୟ ସିଲ କରାଯାଇଛି। ସୀମାନ୍ତରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି।

ad-week
Leave A Reply

Your email address will not be published.