ଏସଆଇଆର ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କଲେ ଇଣ୍ଡିଆ ବ୍ଲକର ୧୦ ନେତା

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ବ୍ଲକର ୧୦ ଜଣ ନେତା ସୋମବାର ସୁପ୍ରିମ କୋର୍ଟ ଯାଇ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିବା ଏସଆଇଆର(ସ୍ପେଶାଲ ଇଂଟେନସିଭ ରିଭିଜନ) ବିରୁଦ୍ଧରେ ପିଟିସନ ଦାଖଲ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ପିଟିଶନ ଦାଖଲ କରିଥିବା ଅନ୍ୟ ନେତାମାନେ ହେଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ, ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ, ସିପିଆଇଏମ ନେତା ଏମ.ଏ. ବାବେ, ସିପିଆଇ ନେତା ଡି.ରାଜା, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ମହୁଆ ମାଝି, ଏନସିପି ନେତା ସୁପ୍ରିୟା ସୁଲେ ଆଦି ଅନ୍ୟତମ । ସୋମବାର ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ନିର୍ବାଚନ କମିଶନ ପକ୍ଷରୁ କରାଯାଇଥିବା ଅନିୟମିତତା ସମ୍ପର୍କରେ ଅବଗତ କରିବାକୁ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କଠାରୁ ଅନୁମତି ମାଗିଥିଲେ । ତେବେ ଯାହା ଅଭିଯୋଗ ଅଛି, ସେ ନେଇ ଏକ ପିଟିଶନ ଦାଖଲ କରିବାକୁ ପ୍ରଧାନ ବିଚାରପତି ତାଙ୍କୁ ପରାମର୍ଶ ଦେଇଥିଲେ । ସେହି ଅଧାରରେ ଇଣ୍ଡିଆ ବ୍ଲକର ନେତାମାନେ ଶୋଭାଯାତ୍ରାରେ ବାହାରି ସୁପ୍ରିମ କୋର୍ଟରେ ପହଂଚି ପିଟିସନ ଦାଖଲ କରିଥିଲେ ।
ତେବେ ଇଣ୍ଡିଆ ମେଣ୍ଟର ଏହି ଆଭିମୁଖ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୁରୁ ପ୍ରସାଦ ପାଶୱାନ କହିଛନ୍ତି, ଇଣ୍ଡିଆ ବ୍ଲକର ନେତାମାନେ ମିଛ ପ୍ରଚାର କରୁଛନ୍ତି । ସୁପ୍ରିମକୋର୍ଟ ପୂର୍ବରୁ ଏସଆଇଆରର ସାମ୍ବାଧାନିକ ବୈଧତା ଉପରେ ମୋହର ମାରି ସାରିଛି । କଂଗ୍ରେସ ଯେହେତୁ ସାରା ଦେଶରେ ପରାଜୟ ବରଣ କରିସାରିଛି, ତେଣୁ ଏମିତି ଅପପ୍ରଚାର କରୁଛି ।

ad-week
Leave A Reply

Your email address will not be published.