‘ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୧୦୦ ଟଙ୍କା’

add-all

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଖେଳିଛି ମହିଳା ଭୋଟବ୍ୟାଙ୍କ୍ କାର୍ଡ। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ ନେଇ ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଗୁରୁବାର ସକାଳେ ଦିଲ୍ଲୀ କ୍ୟାବିନେଟ୍ ମହିଳା ସମ୍ମାନ ଯୋଜନାକୁ ଅନୁମୋଦନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେଜ୍ରିୱାଲ। ତେବେ ନିର୍ବାଚନ ଜିତିଲେ ଏହି ରାଶିକୁ ବଢ଼ାଇ ୨୧୦୦ ଟଙ୍କା କରିଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି।
ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ପଞ୍ଜୀକରଣ କରାଯିବ ବୋଲି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଘୋଷଣା ସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କିଛି ଦିନ ମଧ୍ୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କାରଣରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲେ ମଧ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବ ନାହିଁ। ଏହାପରେ ଖୁବଶୀଘ୍ର ଆଉ ଏକ ଘୋଷଣା କରି ସେ କହିଛନ୍ତି ଯେ ନିର୍ବାଚନ ପରେ ମହିଳାମାନଙ୍କୁ ଏହି ଯୋଜନା ଅଧୀନରେ ପ୍ରତିମାସରେ ୧୦୦୦ ବଦଳରେ ୨୧୦୦ ଟଙ୍କା ଦିଆଯିବ।
ଏହି ଘୋଷଣା ବେଳେ କେଜ୍ରିୱାଲ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଘୋଷଣା ମୁଁ କରିଥିଲି ଏବଂ ଆଶା କରୁଥିଲି ଯେ ଏହା ମେ’ -ଜୁନ୍ ମାସରେ କାର୍ଯ୍ୟକାରୀ ହୋଇଯିବ। କିନ୍ତୁ ତାହା ହୋଇ ପାରିନଥିଲା। ଜେଲରୁ ଫେରିବା ପରଠାରୁ ମୁଁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସହ ଏହି ଯୋଜନାର କାର୍ଯ୍ୟକାରୀତାରେ ବ୍ୟସ୍ତ ଥିଲି ଏବଂ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହୋଇଛି। ଏହା ମହିଳାଙ୍କ ପ୍ରତି ଆମର ଅନୁଗ୍ରହ ନୁହେଁ। ମହିଳାମାନେ ନିଜ ପରିବାର ଚଳାନ୍ତି। ପିଲାମାନଙ୍କୁ ସଂସ୍କାର ଦିଅନ୍ତି ଓ ପାଳି ପୋଷି ବଡ଼ କରନ୍ତି ଏବଂ ସେହି ପିଲାମାନେ ହିଁ ଆମର ଭବିଷ୍ୟତ। ଏପରି ସ୍ଥିତିରେ, ଯଦି ଆମେ ମହିଳାମାନଙ୍କୁ କିଛି ସାହାଯ୍ୟ କରିପାରିବା, ତେବେ ଏହା ଆମର ସୌଭାଗ୍ୟ।
କେଜ୍ରିୱାଲ ଆହୁରି କହିଛନ୍ତି ଯେ ମୁଁ ଜାଣେ କେଉଁଠାରେ ଟଙ୍କା ସଞ୍ଚୟ କରାଯିବ ଓ କେଉଁଠାରେ ବିନିଯୋଗ କରାଯିବ। ମୁଁ କହିଥିଲି ଯେ ପ୍ରତି ମାସରେ ୧୦୦୦ ଟଙ୍କା ଦେବୁ, ଆଉ ଆଜି ଆମେ ଏହାକୁ ଆରମ୍ଭ କରିଛୁ। ଆଜି ଦିଲ୍ଲୀ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ଏବଂ ଆଗାମୀ ୧୦-୧୫ ଦିନ ମଧ୍ୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କାରଣରୁ ନିର୍ବାଚନ ପୂର୍ବରୁ ଟଙ୍କା ପଠାଯାଇପାରିବ ନାହିଁ। ତେବେ ମହିଳାମାନେ କହିଲେ ଯେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି ଏବଂ ୧୦୦୦ ଟଙ୍କା ଯଥେଷ୍ଟ ହେବ ନାହିଁ। ତେଣୁ ଆଜି ମୁଁ ଘୋଷଣା କରୁଛି ଯେ ଆସନ୍ତାକାଲି ଠାରୁ ଯେଉଁ ପଞ୍ଜୀକରଣ ଆରମ୍ଭ ହେବ ଏହା ୧୦୦୦ ନୁହେଁ, ବରଂ ୨୧୦୦ ଟଙ୍କା ପାଇଁ ହେବ।

ad-week
Leave A Reply

Your email address will not be published.