ହାଇକୋର୍ଟ ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

add-all

ସଂଖ୍ୟାଗରିଷ୍ଠଙ୍କ ଇଚ୍ଛାରେ ଦେଶ ଚାଲିବା ଉଚିତ୍ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବଙ୍କୁ ବହିଷ୍କାର କରିବା ପାଇଁ ଶୁକ୍ରବାର ରାଜ୍ୟସଭାରେ ବିରୋଧୀ ଦଳ ସାଂସଦମାନେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି।

ସମାଜବାଦୀ ପାର୍ଟି ସାଂସଦ କପିଲ ସିବଲଙ୍କ ନେତୃତ୍ୱରେ ଏହି ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭାର ସେକ୍ରେଟେରୀ ଜେନେରାଲଙ୍କ ନିକଟରେ ଦାଖଲ କରାଯାଇଛି। ଏହି ପ୍ରସ୍ତାବରେ ପ୍ରାୟ ୫୫ ଜଣ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ରହିଛି। ସଂସଦ ଶୀତ ଅଧିବେଶନ ଶେଷ ହେବା ପୂର୍ବରୁ ଏହି ମହାଭିଯୋଗ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। 

ଗତ ରବିବାର ବିଶ୍ୱ ହିନ୍ଦୁ ପରିଷଦର ଲିଗାଲ ସେଲ୍‌ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ଯାଦବ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ “ମୁଁ ଏହା କହିବାରେ ଆଦୌ ଦ୍ୱିଧା କରିବି ନାହିଁ ଯେ ଏଇଟା ହେଉଛି ହିନ୍ଦୁସ୍ତାନ। ଏହି ଦେଶ ହିନ୍ଦୁସ୍ତାନରେ ରହୁଥିବା ସଂଖ୍ୟାଗରିଷ୍ଠଙ୍କ ଇଚ୍ଛାରେ କାର୍ଯ୍ୟ କରିବ। ଏହା ଆଇନ। ଜଣେ ହାଇକୋର୍ଟ ବିଚାରପତି ଭାବେ ଏପରି କେମିତି କହୁଛି ବୋଲି ଆପଣ କହିପାରିବେ ନାହିଁ। ଆଇନ ସଂଖ୍ୟାଗରିଷ୍ଠତାଙ୍କ ହିସାବରେ ଚାଲେ। ଏହାକୁ ପରିବାର କିମ୍ବା ସମାଜ ହିସାବରେ ଦେଖନ୍ତୁ। ଏକକ ନାଗରିକ ସଂହିତା (UCC) ଖୁବଶୀଘ୍ର ବାସ୍ତବ ରୂପ ନେବ। ହିନ୍ଦୁତ୍ୱରୁ ସତୀ ଦାହ ଭଳି ପ୍ରଥାକୁ ଉଚ୍ଛେଦ କରାଯାଇ ସାରିଛି। କିନ୍ତୁ ମୁସଲିମ ସଂପ୍ରଦାୟରେ ଏବେ ବହୁ ପତ୍ନୀ ପ୍ରଥା ଜାରି ରହିଛି। ଆପଣ କେବେ ହେଲେ ୪ ପତ୍ନୀର ଅଧିକାର ସପକ୍ଷରେ ଦାବି କରିବେ ନାହିଁ। ହଲାଲା କିମ୍ବା ଟ୍ରିପଲ ତଲାକକୁ ଯଥାର୍ଥ ବୋଲି କହିପାରିବେ ନାହିଁ।’

ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବଙ୍କ ବିରୋଧରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ମଧ୍ୟ ‌ଗୋଟିଏ ଅଭିଯୋଗ ପାଇଛନ୍ତି। ଏଥିରେ ଜଷ୍ଟିସ ଯାଦବଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅଭିଯୋଗ ପାଇବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନା ଆହ୍ଲାବାଦ ହାଇକୋର୍ଟଙ୍କୁ ଜବାବ ମାଗିଛନ୍ତି।

ad-week
Leave A Reply

Your email address will not be published.