ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ

add-all

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ବେସାମରିକ ସମ୍ମାନ। ଦୁଇ ଦିନିଆ କୁଏତ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଏହାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ମୁବାରକ୍‌ ଅଲ୍‌-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ। ‘ଅର୍ଡର ଅଫ୍‌ ମୁବାରକ୍‌ ଅଲ୍‌-କବୀର’ ସମ୍ମାନ ବନ୍ଧୁତାର ପ୍ରତୀକ ଭାବେ କୌଣସି ରାଷ୍ଟ୍ରର ମୁଖ୍ୟ କିମ୍ବା ବିଦେଶ ରାଜ ପରିବାରର ସଦସ୍ୟଙ୍କୁ ପ୍ରଦାନ କରାଯାଇଥାଏ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ବିଲ କ୍ଲିଣ୍ଟନ, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବ୍ୟକ୍ତି ବିଶେଷ କୁଏତର ଏହି ସର୍ବୋଚ୍ଚ ସମ୍ମାନ ପାଇ ସାରିଛନ୍ତି। ଆଜି କୁଏତ ଗସ୍ତର ଦ୍ୱିତୀୟ ଦିନରେ ମୋଦି ଏହି ସମ୍ମାନ ଗ୍ରହଣ କରିବା ପରେ ତାଙ୍କୁ ବୟାନ ପ୍ୟାଲେସଠାରେ ଔପଚାରିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ସମୟରେ ସେଠାରେ କୁଏତର ଏମିର (ପ୍ରିନ୍ସ) ଶେଖ୍ ମିଶାଲ ଅଲ୍-ଅହମ୍ମଦ ଅଲ୍-ଜାବେର ଅଲ୍-ଶବା ମଧ୍ୟ ଉପସ୍ଥିତ ଥିଲେ। ଯାହାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗଲ୍ଫ ରାଷ୍ଟ୍ର ଗସ୍ତରେ ଯାଇଛନ୍ତି।

କୁଏତରେ ଥିବା ଭାରତୀୟ ସମୁଦାୟ ହେଉଛନ୍ତି ବିଶ୍ୱର ସବୁଠାରୁ ବଡ଼ ପ୍ରବାସୀ ଭାରତୀୟ ସମୁଦାୟ। ଦୀର୍ଘ ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଇଥିବାରୁ ସେଠାରେ ଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ପ୍ରବାସୀ ଭାରତୀୟ ସମୁଦାୟଙ୍କ ପକ୍ଷରୁ ‘ହାଲା ମୋଦି’ (ସ୍ୱାଗତ ମୋଦି) କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡ଼ିଶାରେ ଆୟୋଜନ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଆସିବାକୁ ପ୍ରଧାନମନ୍ତ୍ରୀ ସେଠାରେ ଭାରତୀୟ ସମୁଦାୟଙ୍କୁ ନିମନ୍ତ୍ରଣ କରିଥିଲେ।

ad-week
Leave A Reply

Your email address will not be published.