ଇଡି ଜାଲରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ

add-all

ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ନେତା ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ ହୁଲାସ ପାଣ୍ଡେଙ୍କ ତିନିଟି ଠିକଣାରେ ଆଜି ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଏହି ଚଢ଼ାଉ କରାଯାଇଛି।

କିଛି ଆର୍ଥିକ ଅନିୟମିତତାରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ)ର ଅନ୍ୟତମ ପ୍ରମୁଖ ନେତା ହୁଲାସ ପାଣ୍ଡେ ଫସିଥିବା ଜଣାପଡ଼ିଛି। ତେବେ ପ୍ରକୃତ ଘଟଣାଟି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରେଡ୍ ଜାରି ରହିଥିବା ବେଳେ ଇଡି ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ।

ଆଜି ସକାଳୁ ଏହି ଚଢ଼ାଉ କରାଯାଇଛି। ଖବର ଲେଖାଯିବା ବେଳକୁ ରେଡ୍ ଜାରି ରହିଥିଲା। ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଥିବା ତାଙ୍କ ସଂପତ୍ତିଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯାଉଛି। ଏଥିରେ ସେମାନଙ୍କୁ ସ୍ଥାନୀୟ ପୁଲିସ ସହଯୋଗ କରୁଛି।

କୁହାଯାଏ, ପାଣ୍ଡେ ହେଉଛନ୍ତି ଚିରାଗ ପାଶ୍ୱାନଙ୍କ ଜଣେ ଘନିଷ୍ଠ ସହଯୋଗୀ। ୨୦୧୨ରେ ଘଟିଥିବା ଏକ ହତ୍ୟାକାଣ୍ଡରେ ସିବିଆଇ ତାଙ୍କୁ ମାଷ୍ଟରମାଇଣ୍ଡ ଦର୍ଶାଇ ଚାର୍ଜଶିଟ୍ ଦାଖଲ କରିବା ପରେ ୨୦୨୩ ଡିସେମ୍ବର ମାସରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ)ର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ହୁଲାସ ପାଣ୍ଡେ।

୨୦୧୨ ମସିହା ଜୁନ୍ ୧ ତାରିଖରେ ବିହାରର ଭୋଜପୁର ଜିଲ୍ଲାରେ କିଛି ଅଜଣା ଆତତାୟୀ ରଣବୀର ସେନାର ପ୍ରତିଷ୍ଠାତା ଓ ମୁଖ୍ୟ ବ୍ରହ୍ମେଶ୍ୱର ସିଂହ ମୁଖିଆଙ୍କୁ ଗୁଳି କରି ହତ୍ୟା କରିଥିଲେ। ସିବିଆଇ ତା’ ଚାର୍ଜଶିଟରେ ଅଭିଯୋଗ କରିଥିଲା ଯେ ମୁଖିଆଙ୍କୁ ହତ୍ୟା କରିବା ପଛରେ ରହିଛି ହୁଲାସ ପାଣ୍ଡେଙ୍କ ଷଡ଼ଯନ୍ତ୍ର। ବିହାରର କିଛି ଜିଲ୍ଲାର ଉଚ୍ଚ ଜାତିର ଚାଷୀଙ୍କ ଉପରେ ତାଙ୍କର ରହିଥିବା ରାଜନୀତିକ ପ୍ରଭାବ କ୍ଷୁଣ୍ଣ ହେବା ଭୟରେ ଶ୍ରୀ ପାଣ୍ଡେ ଏମିତି ଏକ ଷଡ଼ଯନ୍ତ କରିଥିଲେ ବୋଲି ସିବିଆଇ କହିଥିଲା। 

ଅନ୍ୟପକ୍ଷରେ ହୁଲାସ ପାଣ୍ଡେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସେ କହିଥିଲେ। ଗତ ଏପ୍ରିଲ ମାସରେ ଏକ ସ୍ପେଶାଲ କୋର୍ଟ ସିବିଆଇର ଚାର୍ଜଶିଟକୁ ରଦ୍ଦ କରି ଦେଇଥିଲା। ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ ଯୋଗ ଦେବା ପୂର୍ବରୁ ନୀତୀଶ କୁମାରଙ୍କ ଜନତା ଦଳରେ ଥିଲେ ହୁଲାସ ପାଣ୍ଡେ।

ad-week
Leave A Reply

Your email address will not be published.