ଯମୁନାରେ ବିସର୍ଜିତ ହେଲା ମନମୋହନ ସିଂହଙ୍କ ଅସ୍ଥି

add-all

ନୂଆଦିଲ୍ଲୀ ୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ଅସ୍ଥି ରବିବାର ଦିଲ୍ଲୀରେ ଯମୁନା ନଦୀରେ ପ୍ରବାହୀତ କରାଯାଇଛି। ‘ଅସ୍ଥି ବିସର୍ଜନ’ ଲାଗି ଗୁରୁଦ୍ୱାରା ପକ୍ଷରୁ ମଜନୁ କା ଟିଲା ନିକଟରେ ଅନୁଷ୍ଠାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନମୋହନ ସିଂହଙ୍କ ପରିବାର ଲୋକେ ଓ କିଛି ଶିଖ ନେତା ଉପସ୍ଥିତ ଥିଲେ। ଶନିବାର ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀ ନିଗମ ବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନୁଷ୍ଠିତ ହୋଇଥିଲା।
ପରମ୍ପରା ଅନୁସାରେ ରବିବାର ଶିଖ ପରମ୍ପରା ଅନୁସାରେ ତାଙ୍କ ଅସ୍ଥି ବିସର୍ଜିତ ହୋଇଛି। ଏଥି ପାଇଁ ଡ. ମନମୋହନ ସିଂହଙ୍କ ପତ୍ନୀ ଗୁରୁଶରଣ କୌର ଓ ପରିବାରର ଅନ୍ୟ ସଦସ୍ୟ ନିଗମବୋଧ ଘାଟରୁ ଚିତାଭଷ୍ମ ଓ ଅବଶେଷ ନେଇ ଗୁରୁଦ୍ୱାରା ମଜନୁ କା ଟିଲା ପହଞ୍ଚିଥିଲେ। ସେଠାରେ ଶବ୍ଦ କିର୍ତ୍ତନ, ପାଠ ଓ ଅରଦାସ କରାଯାଇଥିଲା। ଏହା ପରେ ଅସ୍ଥି ବିସର୍ଜନ କରାଯାଇଥିଲା। ତେବେ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାରକୁ ନେଇ ଶନିବାର ଆରମ୍ଭ ହୋଇଥିବା ରାଜନୀତି ଏବେ ଜାରି ରହିଛି।
ସାର୍ବଜନିକ ଶ୍ମଶାନରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରାଯିବା ଯୋଗୁ ବିବାଦ ବଢିବାରେ ଲାଗିଛି। କଂଗ୍ରେସ ନେତାମାନେ ପୂର୍ବପ୍ରଧାନମନ୍ତ୍ରୀଙ୍କୁ ସରକାର ଅପମାନିତ କରିଥିବାର ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶାସକ ବିଜେପି କଂଗ୍ରେସ ଉପରେ ରାଜନୈତିକ ଲାଭ ନିମନ୍ତେ ଦୁଃଖ କ୍ଷଣର ଫାଇଦା ଉଠାଉଥିବାର ଆରୋପ ଲଗାଇଛି। ତେବେ ରବିବାର ଅନୁଷ୍ଠିତ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଗାନ୍ଧି ପରିବାରର କାହାକୁ କି କଂଗ୍ରେସର କେହି ନେତାଙ୍କୁ ଦେଖାଯାଇ ନାହିଁ।

ad-week
Leave A Reply

Your email address will not be published.