କେଜ୍ରିୱାଲଙ୍କୁ ‘ନିର୍ବାଚନୀ ହିନ୍ଦୁ’ କହି ଫଟୋ ପୋଷ୍ଟ କଲା ବିଜେପି

add-all

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମନ୍ଦିର ପୂଜକଙ୍କୁ ମାସିକ ୧୮ ହଜାର ଟଙ୍କା ଦରମା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଯାହାକୁ ନେଇ ତେଜିଛି ରାଜନୀତି। କେଜ୍ରିୱାଲଙ୍କୁ ‘ଚୁନାବି ହିନ୍ଦୁ’ (ନିର୍ବାଚନୀ ହିନ୍ଦୁ) ବୋଲି କହି କଟାକ୍ଷ କରିଛି ବିଜେପି। ଏକ୍ସ ହ୍ୟାଣ୍ଡେଲରେ ଦିଲ୍ଲୀ ବିଜେପି ‘ଭୁଲ୍ ଭୁଲେୟା’ ଚଳଚ୍ଚିତ୍ରର ଏକ ପୋଷ୍ଟର ସେୟାର କରିଛି, ଯେଉଁଥିରେ ରାଜପାଲ ଯାଦବଙ୍କ ସ୍ଥାନରେ କେଜ୍ରିୱାଲଙ୍କ ଫଟୋ ଏଡିଟ୍ କରାଯାଇଛି। ଏହା ସହ ‘ଭୁଲ୍ ଭୁଲେୟା’ ବଦଳରେ ଏଥିରେ ‘ଚୁନାବି ହିନ୍ଦୁ’ ବୋଲି ଲେଖାଯାଇଛି।
ବିଜେପି ପୋଷ୍ଟ କରିଥିବା ଏହି ଫଟୋ ଉପରେ ଉପହାସପୂର୍ଣ୍ଣ ଏକ କବିତା ମଧ୍ୟ ଲେଖାଯାଇଛି। ମୋର ମନ୍ଦିର ଯିବା କେବଳ ଏକ ଛଳନା, ପୂଜକଙ୍କ ସମ୍ମାନ କେବଳ ନିର୍ବାଚନୀ ଦେଖାଣିଆ, ସନାତନ ଧର୍ମର ମୁଁ ସବୁବେଳେ ଉପହାସ କରେ ବୋଲି କେଜ୍ରିୱାଲଙ୍କ ଫଟୋ ଉପରେ ଲେଖାଯାଇଛି। ଏହି ପୋଷ୍ଟର କ୍ୟାପ୍ସନରେ ଦିଲ୍ଲୀ ବିଜେପି ଲେଖିଛି ଯେ, ଯେଉଁ ଲୋକ ମସଜିଦର ଇମାମ ମାନଙ୍କୁ ୧୦ ବର୍ଷ ହେଲା ଦରମା ଦେଉଛି, ଯିଏ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରିଥିଲା, ଯିଏ ମନ୍ଦିର ଓ ଗୁରୁଦ୍ୱାର ନିକଟରେ ମଦ ଦୋକାନ ଖୋଲିଛି, ଏବଂ ଯିଏ ସବୁବେଳେ ହିନ୍ଦୁ ବିରୋଧୀ ରାଜନୀତି କରେ, ସେହି ଲୋକର ହଠାତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କ କଥା ମନେ ପଡ଼ିଗଲା।
ସେପଟେ କେଜ୍ରିୱାଲ ମଧ୍ୟ ଏହାର ତୁରନ୍ତ ଜବାବ ଦେଇଛନ୍ତି। ମୋତେ ଦୁର୍ବ୍ୟବହାର କଲେ ଦେଶର ଲାଭ ହେଉଛି କି ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ ବିଜେପି ୨୦ଟି ରାଜ୍ୟରେ ଶାସନରେ ଅଛି। ୩୦ ବର୍ଷ ହେଲା ଗୁଜରାଟରେ ଶାସନରେ ବସିଛି। ତେବେ ସେଠାରେ କଣ ପାଇଁ ସେମାନେ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କୁ ସମ୍ମାନ କରିନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏବେ ଏହି ପଦକ୍ଷେପ ବିଜେପିଶାସିତ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସେ ଆହ୍ୱାନ କରିଛନ୍ତି।

ad-week
Leave A Reply

Your email address will not be published.