ଶୁକ୍ରବାରଠୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ, ଡିସେମ୍ବର ୨୫ରୁ ଥିଲା ସ୍ଥଗିତ

add-all

ପୁରୀ ୨।୧: ନବବର୍ଷରେ ମହାପ୍ରଭୁଙ୍କର ଆଶୀର୍ବାଦ ଲାଭ ଶ୍ରୀମନ୍ଦିରକୁ ଭକ୍ତଙ୍କର ଆଗମନ ଜାରି ରହିଛି। ଆଜି ନବବର୍ଷର ଦ୍ବିତୀୟ ଦିବସରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ମଧ୍ୟ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗି ରହିଛି। ତେବେ ଆଜିଠାରୁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ କରି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପୁରୀ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କିଭଳି ହୋଇପାରିବ ତା ଉପରେ ନଜର ରଖିଛନ୍ତି। ଗତକାଲି ନବବର୍ଷ ର ପ୍ରଥମ ଦିନରେ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଖୁସି ଅଛନ୍ତି ଭକ୍ତ। 

ସେପଟେ ଶୁକ୍ରବାର ଠାରୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ କରାଯିବ। ଏକ୍ସମାସ ଛୁଟି ଏବଂ ନବବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ତେବେ ଆସନ୍ତାକାଲି ଠାରୁ ପୁନର୍ବାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ସେପଟେ ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟାକୁ ରତ୍ନଭଣ୍ଡାରରେ ରଖିବା ପାଇଁ ଜଗନ୍ନାଥ ପ୍ରେମୀ ଦାବି କରିଥିବା ବେଳେ ଏନେଇ କୋର୍ଟରେ ମାମଲା ଚାଲିଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ସହିତ ଏ ସମ୍ପର୍କିତ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେହିପରି ରତ୍ନଭଣ୍ଡାର ଭିତର କବାଟ କୁ ସୁନା ଛାଉଣୀ କରିବା ପାଇଁ ଦାବି ଉଠିଥିବା ବେଳେ ଏସମ୍ପର୍କରେ ଏଏସଆଇ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ଯାହା କିଛି ନିଷ୍ପତ୍ତି ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। 

ad-week
Leave A Reply

Your email address will not be published.