ରାଜ୍ୟ ପୁଲିସର ସ୍ୱତନ୍ତ୍ର ଅଭିଯାନ-୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ଭାବେ ନଷ୍ଟ

add-all

ଭୁବନେଶ୍ୱର : ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୁଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି।ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡ଼ିସେମ୍ବର ମାସ ୩୦ ତାରିଖ ସୁଦ୍ଧା ୧୫ ହଜାର ଏକରରୁ ଅଧିକ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି।ଚଳିତ ବର୍ଷ ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି।
ରାଜ୍ୟର ବିଭିନ୍ନ ଥାନାରେ ୩୫୦ଟି ମାମଲା ରୁଜୁ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବୌଦ୍ଧ ଜିଲାରେ ସର୍ବାଧିକ ୧୧୨ଟି ମାମଲା ରୁଜୁ ହୋଇଥିବାବେଳେ ୫ ହଜାର ୪୦୦ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସେହିପରି ଗଜପତି ଜିଲାରେ ୩୪ଟି ମାମଲା ରୁଜୁ ହୋଇଥିବାବେଳେ ୧ ହଜାର ୨୨ ଏକରରୁ ଅଧିକ ଗଞ୍ଜେଇ ନଷ୍ଟ କରାଯାଇଛି।ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ପୁଲିସ ପାଇଁ ବଡ଼ ସଫଳତା ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଡିଜିପି କହିଛନ୍ତି।
ରାଜ୍ୟର ୮ଟି ଜିଲାରେ ଗଞ୍ଜେଇ ଚାଷ ବିରୁଦ୍ଧରେ ସ୍ପେଶାଲ ଡ୍ରାଇଭ ଚାଲିଛି। ରାୟଗଡ଼ା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବାବେଳେ ଏହାର ମୂଳୋଉତ୍ପାଟନ ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି।ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରାଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଏହାସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୁଲିସ ସଚେତନ କରାଉଥିବାବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.