ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି

add-all

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟା ଆଜି ଉତ୍ସବ ମୁଖର। କାରଣ ଆଜି ହେଉଛି ଭବ୍ୟ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି। ଏହାକୁ ପ୍ରାଣ ପ୍ରତିଷ୍ଠା ଦ୍ୱାଦଶୀ ରୂପେ ପାଳନ କରାଯାଉଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି। ଏହି ଅବସରରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ଭବ୍ୟ ପ୍ରତିମାର ମହାଭିଷେକ କରାଯାଇଛି । ରାମଲଲାଙ୍କ ଦର୍ଶନ ଓ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ପାଇଁ ଦେଶ ବିଦେଶରୁ ବହୁ ଭକ୍ତ ମଧ୍ୟ ଅଯୋଧ୍ୟା ଆସିଛନ୍ତି।
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି। ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଜିଠାରୁ ୩ ଦିନ ଧରି ଚାଲିବ। ବର୍ଷ ପୂର୍ତ୍ତି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିଛନ୍ତି।
ତେବେ ୨୦୨୪ ଜାନୁଆରୀ ୨୨ରେ ରାମ ମନ୍ଦିରରେ ରାମଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ୨୦୨୫ ଜାନୁଆରୀ ୧୧ରେ କାହିଁକି ପ୍ରାଣ ପ୍ରତିଷ୍ଠା ଦିବସ ବା ବର୍ଷ ପୂର୍ତ୍ତି ପାଳନ କରାଗଲା, ସେ ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ। କିନ୍ତୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ତିଥି ଅନୁସାରେ ପ୍ରାଣ ପ୍ରତିଷ୍ଠା ଦିବସ ପାଳନ କରିଛି। ଗିର୍ଗୋଆନ କ୍ୟାଲେଣ୍ତର ବଦଳରେ ହିନ୍ଦୁ ପଞ୍ଜିକା ଅନୁସାରେ ଉତ୍ସବ ପାଳନ କରାଯାଉ ଥିବା ତୀର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି।
ତୀର୍ଥ କ୍ଷେତ୍ରର କହିବା କଥା ଯେ ରାମ ମନ୍ଦିରରେ ରାମ ଲଲାଙ୍କ ବିଗ୍ରହର ପ୍ରତିଷ୍ଠା ପୌଷ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ କରାଯାଇଥିଲା। ୨୦୨୪ରେ ଏହା ଜାନୁଆରୀ ୨୨ରେ ପଡ଼ିଥିଲା। କିନ୍ତୁ ଏଥର ଜାନୁଆରୀ ୧୧ ଅର୍ଥାତ ଆଜି ହେଉଛି ପୌଷ ଶୁକ୍ଳ ପକ୍ଷ ଦ୍ୱାଦଶୀ। ତେଣୁ ଆଜି ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ପାଳନ କରାଯାଉଛି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଜିର ଦିନକୁ ପ୍ରତିଷ୍ଠା ଦ୍ୱାଦଶୀ ଭାବେ ପାଳନ କରାଯାଉଛି । ଏହି ଅବସରରେ ମନ୍ଦିର ପରିସରରେ ବେଦ ମନ୍ତ୍ର ସହ ଯଜ୍ଞ ମଣ୍ଡପ ଅନୁଷ୍ଠିତ ହୋଇଛି। ମନ୍ଦିରର ପ୍ରଥମ ମହଲାରେ ରାମଚରିତ ମାନସ ଗାନ କରାଯାଇଛି। ଏହାଛଡ଼ା ରାମ କଥାକୁ ନେଇ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।

ad-week
Leave A Reply

Your email address will not be published.