ତୁର୍କିଏ ହୋଟେଲରେ ଭୀଷଣ ନିଆଁ, ୬୬ ମୃତ

add-all

ଅଙ୍କାରା : ଉତ୍ତର-ପଶ୍ଚିମ ତୁର୍କିଏର ଏକ ସ୍କି ରିସୋର୍ଟରେ ଥିବା ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେର୍ଲିକାୟା କହିଛନ୍ତି ଯେ, ବୋଲୁ ପ୍ରଦେଶର କର୍ତ୍ତଲକାୟା ରିସୋର୍ଟରେ ଥିବା ଏକ ହୋଟେଲ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଟେଲିଭିଜନରେ ଦେଖାଯାଉଥିବା ନିଆଁର ଦୃଶ୍ୟରେ ହୋଟେଲର ଛାତ ଓ ଉପର ମହଲାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ସରକାରୀ ନ୍ୟୁଜ୍ ଏଜେନ୍ସି ଆନାଡୋଲୁ ଗଭର୍ଣ୍ଣର ଅବଦୁଲଅଜିଜ୍ ଆୟଦିନଙ୍କ ବୟାନ ଦେଇ କହିଛି ଯେ ଭୟଭୀତ ହୋଇ କୋଠାରୁ ଡେଇଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘରୋଇ ଏନଟିଭି ଟେଲିଭିଜନ ରିପୋର୍ଟ କରିଛି ଯେ କିଛି ଲୋକ ଚାଦର ବ୍ୟବହାର କରି ନିଜ କୋଠରୀରୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଆଇଦିନ କହିଛନ୍ତି ଯେ ହୋଟେଲରେ ୨୩୪ ଜଣ ଅତିଥି ରହୁଥିଲେ। 

ହୋଟେଲର ସ୍କି ପ୍ରଶିକ୍ଷକ ନେକମି କାପ୍ସେଟାନ୍ କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟିବା ସମୟରେ ସେ ଶୋଇଥିଲେ। ଏହି ଘଟଣା ପରେ ସେ ହୋଟେଲରୁ ବାହାରକୁ ଦୌଡ଼ି ଆସିଥିଲେ। ଏହାପରେ ସେ ହୋଟେଲରୁ ପ୍ରାୟ ୨୦ ଜଣ ଅତିଥିଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.