ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ମ୍ୟାଚ୍‌ର ପ୍ରଥମ ଟିକେଟ ଜଗନ୍ନାଥଙ୍କୁ ପ୍ରଦାନ, ମୁଖ୍ୟମନ୍ତ୍ରୀ କିଣିଲେ ଟିକେଟ୍‌

add-all

ଭୁବନେଶ୍ୱର/କଟକ ୨୨।୦୧ : ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଏଥିପାଇଁ ପ୍ରଥମ ଟିକେଟ୍‌ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ । ଓସିଏ ସଂପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ଏହି ପ୍ରଥମ ଟିକେଟ୍‌ ପ୍ରଦାନ କରିଛନ୍ତି । କଟକ ବାରବାଟିରେ ହେବାକୁ ଥିବା ଏହି ମ୍ୟାଚ୍‌ କିଭଳି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଶେଷ ହେବ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ଟିକେଟ୍‌ ପ୍ରଦାନ ସମୟରେ ପୁରୀ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ଏବଂ ଶ୍ରୀମନ୍ଦିର ସେବକ ଉପସ୍ଥିତ ରହିଥିଲେ ।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଲାଗି ପ୍ରଥମ ଟିକେଟ କିଣିଛନ୍ତି । ବୁଧବାର ଦିନ ଓସିଏ କାର୍ଯ୍ୟକାରୀ ସଭାପତି ଶ୍ରୀ ପଙ୍କଜ ମହାନ୍ତି, ସଂପାଦକ ଶ୍ରୀ ସଞ୍ଜୟ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନସିଲ୍‌ ସଦସ୍ୟ ଶ୍ରୀ ପ୍ରତାପ ପ୍ରଧାନ, ଓଡିଶା ଅଲମ୍ପିକ୍‌ ଆସୋସିଏସନର ସଂପାଦକ ଶ୍ରୀ ଅଭିଜିତ୍‌ ପାଲ୍‌, ପୂର୍ବତନ ବିଧାୟକ ତଥା ପୂର୍ବତନ ରଣଜୀ ଟିମ୍‌ କୋଚ ରଞ୍ଜୀବ ବିଶ୍ୱାଳ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଭେଟିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମ ଟିକେଟ୍‌ କିଣିଛନ୍ତି ।
ସୂଚନାଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍‌ । ଏଥିପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ପ୍ରଥମେ ଷ୍ଟାଡିୟମର ଭିତ୍ତିଭୂମି ସଜଡ଼ା ଯାଇଥିବା ବେଳେ ଏବେ ବିଭିନ୍ନ କାମକୁ ନେଇ ତର୍ଜମା କରାଯାଉଛି । ତେବେ ଏଥର ବଦଳିପାରେ ବାରବାଟୀ ଦିନିକିଆ ପାଇଁ ଗ୍ୟାଲେରି ଟିକଟ୍ କାଉଣ୍ଟର ସ୍ଥାନ। ପୂର୍ବ କାଉଣ୍ଟର ସ୍ଥାନ ବଦଳାଇ ଷ୍ଟାଡିୟମ୍ ନିକଟରେ ନୂତନ ସ୍ଥାନରେ ଟିକଟ କାଉଣ୍ଟର କରିବାକୁ କମିଶନରେଟ ପୋଲିସର ଯୋଜନା ରଖିଛି । ନିକଟରେ କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ଅଧିକାରୀ, ଓସିଏ କର୍ତ୍ତୁପକ୍ଷଙ୍କ ସହ ମ୍ୟାଚ୍ ପରିଚାଳନା ଦାୟିତ୍ଵରେ ଥିବା ଅଧିକାରୀ ବାରବାଟି ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ଏହାସହ ଟିକଟ ବିକ୍ରି ହେବାକୁ ଥିବା କାଉଣ୍ଟର ସବୁ କିଛି ଅନୁଧ୍ୟାନ କରିଛନ୍ତି । ଚଳିତ ବର୍ଷ ନୂତନ ସ୍ଥାନରେ ଗ୍ୟାଲେରୀ ଟିକଟ ବିକ୍ରି କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ । ବାରବାଟି ଦିନିକିଆରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା, ଜନ ସାଧାରଣଙ୍କ ସୁରକ୍ଷା ସହ ଦର୍ଶକ କିଭଳି ଭଲ ଭାବରେ ଖେଳ ଦେଖି ଫେରିବେ ତାହା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ବୋଲି କହିଛନ୍ତି ଡିସିପି।

ad-week
Leave A Reply

Your email address will not be published.