ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଥିବା ଅନେକ ଗାଡ଼ିର ବୀମା, ପଲ୍ୟୁସନ୍ ଓ ଫିଟନେସ ନଥିବାର ଜଣା ପଡିଛି । ନୟାଗଡ଼ ଜିଲ୍ଲାପାଳଙ୍କ ନାମରେ ଥିବା ଆହାର ଯୋଗାଣ ଗାଡ଼ି, ପୌର ପରିଷଦର ସଫେଇ ଗାଡ଼ି, ନୟାଗଡ଼ ସିଡିଏମଓ ବ୍ୟବହାର କରୁଥିବା ଗାଡ଼ିର ବୀମା ନଥିବା ଜଣା ପଡିଛି। ଏହାକୁ ନେଇ ନୟାଗଡ଼ ଜିଲ୍ଲାପାଳ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ ନୟାଗଡ଼ ଜିଲ୍ଲାର ସମସ୍ତ ବିଭାଗକୁ ୭ ଦିନ ମଧ୍ୟରେ ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଥିବା ଗାଡ଼ି ଗୁଡ଼ିକର କାଗଜ ପତ୍ର ଠିକ୍ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଟେଣ୍ଡର ଦ୍ଵାରା ବ୍ୟବହାର ହେଉଥିବା ଗାଡ଼ିର ତଥ୍ୟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଭାଗରେ ଶତାଧିକ ଗାଡ଼ି ଟେଣ୍ଡର ଜରିଆରେ ବ୍ୟବହାର କରାଯାଉଛି। ସରକାରୀ ନିୟମ ମୁତାବକ ଏହି ଗାଡ଼ି ଗୁଡ଼ିକର ବୀମା, ପଲ୍ୟୁସନ୍, ପରମିଟ, ଫିଟନେସ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଟେଣ୍ଡର ଜରିଆରେ ବ୍ୟବହାର ହେଉଥିବା ଗାଡ଼ି ଗୁଡ଼ିକ ପାଇଁ ମାଲିକ ମାନେ ମାସିକ ଭଡ଼ା ପାଉଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ଗାଡ଼ି ଲାଗିବା ପରେ ଗାଡ଼ିର ବୀମା, ଫିଟନେସ, ପଲ୍ୟୁସନ୍ କରିବା ପାଇଁ ଗୁରୁତ୍ବ ଦେଉନାହାନ୍ତି । ତେଣୁ ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
