ବାରବାଟୀ ଦିନିକିଆ: କାଉଣ୍ଟର ଟିକେଟ୍‌ ନପାଇ ନିରାଶ ହେଲେ କ୍ରିକେଟ୍‌ପ୍ରେମୀ

add-all

କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖ ଦିନ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ପାଇଁ ଆଜି ସନ୍ଧ୍ୟାରେ କାଉଣ୍ଟର ଟିକେଟ୍‌ ବିକ୍ରି ଶେଷ ହୋଇଛି। କଟକ ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କାଉଣ୍ଟର ଟିକେଟ୍‌ ବିକ୍ରି ପାଇଁ ପୂର୍ବରୁ ଦୁଇ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟର ପ୍ରଥମ ଦିନରେ ସବୁ ଟିକେଟ୍‌ ବିକ୍ରି ହୋଇସାରିଥିବାରୁ ଆସନ୍ତାକାଲି ଆଉ କାଉଣ୍ଟରରେ ଟିକେଟ ବିକ୍ରି ହେବନାହିଁ।
ବାରବାଟୀରେ ଦିବାରାତ୍ର ମ୍ୟାଚ୍‌ ପାଇଁ ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏକ ପ୍ରସ୍ତୁତି ସମୀକ୍ଷା ବୈଠକରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଗଣମାଧ୍ୟମର ପ୍ରତିନିଧି୍ଙ୍କୁ କହିଛନ୍ତି, ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ (ଓସିଏ), ପୁଲିସ ବଳ, ହୋଟେଲ କର୍ତ୍ତୃପକ୍ଷ, ଏୟାରପୋର୍ଟ କର୍ତ୍ତୃପକ୍ଷ, ସିଆଇଏସଏଫ୍‌ ସହ ଆଲୋଚନା ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଖେଳାଳିମାନେ ରହିବାକୁ ଥିବା ହୋଟେଲ ଓ ବାରବାଟୀ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା ହୋଇଛି। ସେହିପରି ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି।
ସୂଚନାଯୋଗ୍ୟ, ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏଠାରେ ମ୍ୟାଚ୍‌ ଖେଳିଥିଲା।
ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ୍‌ ପାଇଁ କାଉଣ୍ଟରକୁ ୧୧ ହଜାର ୮୦ ଖଣ୍ଡ ଟିକେଟ୍‌ ଆସିଥିଲା। କିନ୍ତୁ କ୍ରୀଡ଼ାପ୍ରେମୀଙ୍କ ଚାହିଦା ଥିଲା ପ୍ରାୟ ୩୦,୦୦୦। ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିପରୀତ ପରିସ୍ଥିତି ଉପୁଜିଥିଲା। ମୁଣ୍ଡ ପିଛା ୨ଟି ଟିକେଟ ଦେବାକୁ ପୂର୍ବରୁ ସ୍ଥିର ହୋଇଥିବାରୁ ଅନେକ କ୍ରୀଡ଼ାପ୍ରେମୀଙ୍କୁ ଟିକେଟ୍‌ ମିଳି ନଥିଲା। ଗତକାଲି ରାତିରୁ ଅନିଦ୍ରା ରହି ଟିକେଟ୍‌ ଚାହୁଁଥିବା ଅନେକ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପୂର୍ବରୁ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ ବିକ୍ରି ସମୟରେ ମଧ୍ୟ ହଜାର ହଜାର କ୍ରୀଡ଼ାପ୍ରେମୀ ନିରାଶ ହୋଇଥିଲେ।

ad-week
Leave A Reply

Your email address will not be published.