
ହିଞ୍ଜିଳିକାଟୁ : ଜଣେ ମଦ୍ୟପ ବାପା ମଦ୍ୟପାନ କରି ସ୍ତ୍ରୀ ସହ ଛଗଡା କରିବା ପରେ ଉତ୍ୟକ୍ତ ହୋଇ ନିଜ ସାନପୁଆକୁ ଏକ ଧାରୁଆ ଛୁରୀରେ ଭୁଷି ହତ୍ୟା ଉଦ୍ୟମ କରିଛି। ଏଭଳି ଏକ ଘଟଣା ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମରେ ଦେଖିବାକୁ ମିଳିଛି। ଆକ୍ରମଣରେ ଗୁରୁତର ଆହତ ଜଣଙ୍କ ହେଲେ ମନୋଜ ବେହେରାଙ୍କ ନାବାଳକ ପୁଅ ସୁମନ ବେହେରା (୧୦) । ଘଟଣା ନେଇ ଆହତଙ୍କ ମାଆ ବାସନ୍ତି ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ପ୍ରକାଶ ଯେ, ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ମନୋଜ ବେହେରା ଓ ସ୍ତ୍ରୀ ବାସନ୍ତିଙ୍କ ମଧ୍ୟରେ ପାରିବାରିକ ଘଟଣାକୁ କେନ୍ଦ୍ର କରି ଗତ ୫ ବର୍ଷ ହେଲା କଳହ ଲାଗି ରହିଥିଲା। ବିଭିନ୍ନ ସମୟରେ ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ମନୋଜ, ବାସନ୍ତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତ ୭ ମାସ ପୂର୍ବେ ସ୍ବାମୀଙ୍କ ନିର୍ଯାତନା ସହ୍ୟ କରିନପାରି ମହିଳା ଜଣଙ୍କ ୨ପୁଅ ଶିବ (୧୩) ଓ ସୁମନ(୧୦) ଙ୍କୁ ସାଥିରେ ନେଇ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଭୁବନେଶ୍ବର ଚାଲି ଯାଇଥିଲେ। ଶନିବାର ମନୋଜ ଭୂବନେଶ୍ବରରେ ପହଞ୍ଚି ଭବିଷ୍ୟତରେ ଏଭଳି ଘଟଣା ନକରିବାକୁ କହିବା ସହ ସ୍ତ୍ରୀ ଓ ୨ ପୁଅଙ୍କୁ ସାଙ୍ଗରେ ନେଇ ସୋମବାର ଗାଁ କୁ ଫେରିଥିଲେ। ମଙ୍ଗଳବାର କୈାଣସି କଥାକୁ କେନ୍ଦ୍ର କରି ସ୍ବାମୀ – ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗିଥିଲା। ଏଥିରେ ମନୋଜ ଉତ୍ୟକ୍ତ ହୋଇ ୨ ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ବାପାଙ୍କ ହତ୍ୟା ଧମକ ଶୁଣି ୨ ପୁଅ ଘରୁ ବାହାରକୁ ଚାଲି ଯାଇଥିଲେ। ବୁଧବାର ମନୋଜ ମଦ ନିଶାରେ ଚୁର ହୋଇ ଗାଁ ଦାଣ୍ଡରେ ଯାଉଥିବା ବେଳେ ସାନପୁଅ ସୁମନଙ୍କୁ ଗାଁରେ ଖେଳୁଥିବା ଦେଖି ଧରିଥିବା ଏକ ଧାରୁଆ ଛୁରୀରେ ମୁହଁକୁ ଭୁଷି ଦେଇଥିଲେ। ଆକ୍ରମଣରେ ନାବାଳକ ପୁଅ ସୁମନ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯିବାରୁ ମନୋଜ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ବାସନ୍ତି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ସୁମନ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ବାସନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।