ଭାରତ-ଇଂଲଣ୍ଡ ମ୍ୟାଚ୍: କଟକରେ ଦୁଇଦିନିଆ ଟ୍ରାଫିକ୍‌ କଟକଣା

add-all

କଟକ: ବାରବାଟୀରେ ଆସନ୍ତାକାଲି ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍। କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍‌ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଶନିବାର ନେଟ୍‌ ପ୍ରାକ୍ଟିସ୍‌ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ରବିବାର ସକାଳ ୮ଟାରୁ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

କଟକଣା ଅନୁସାରେ, ମାତାମଠ ପଟୁ ରିଂରୋଡରେ ଆସୁଥିବା ଗାଡ଼ିଗୁଡିକ ବାଲିଯାତ୍ରା ତଳ ପଡିଆରେ ପାର୍କିଂ କରିବେ। ହାୱାଡାମୋଟର୍ସ ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡ଼ିଗୁଡିକ ଲ’ହଷ୍ଟେଲ ଛକରୁ ରିଂରୋଡକୁ ଯାଇ ତଳ ବାଲିଯାତ୍ରା ପଡିଆରେ ରଖିବେ। ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ ଆସୁଥିବା ଗାଡି ଆନନ୍ଦଭବନ ଛକରୁ ସିଧା କିଲ୍ଲା ପଡିଆ ଆଡକୁ ଯାଇପାରିବ ନାହିଁ। ଏହି ଗାଡ଼ିଗୁଡିକ ଖ୍ରୀଷ୍ଟିୟାନ ପଡ଼ିଆରେ ରହିବ ।

ହରିଣ ପାର୍କ ଏବଂ ମଧୁସୂଦନ ନଗର ଆଡୁ ରିଂରୋଡରେ ଆସୁଥିବା ଗାଡ଼ିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ବାମକୁ ଗଡି ପାର୍କିଂସ୍ଥଳକୁ ଯିବେ। ସମାଜ ଅଫିସ ଛକ ଆଡୁ ଆସୁଥିବା ଗାଡ଼ିଗୁଡିକୁ ହନୁମାନ ମନ୍ଦିର ଆଡକୁ ନଯାଇ ଚଣ୍ଡୀଛକ ହୋଇ ଖ୍ରୀଷ୍ଟିଆନ ପଡ଼ିଆକୁ ଯିବେ। କେବଳ ଓସିଏ ପାସ୍‌ଧାରୀ ଗାଡ଼ି ଷ୍ଟାଡିୟମର ୧ ନମ୍ବର ଗେଟ ଦେଇ ଓସିଏ ପାର୍କିଂସ୍ଥାନକୁ ଯିବେ। ମଧୁସୂଦନ ପ୍ରତିମୂର୍ତ୍ତି ଛକରୁ କୌଣସି ଗାଡ଼ି ଷ୍ଟାଡିୟମ ଆଡକୁ ଯାଇପାରିବ ନାହିଁ । ଲାୟନ୍ସ ଚକ୍ଷୁ ହସ୍ପିଟାଲ ଛକରୁ କିଲ୍‌ଖାନା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ସେହି ରାସ୍ତାରେ ଆସୁଥିବା ଗାଡ଼ିଗୁଡିକ କଳାବିକାଶ କେନ୍ଦ୍ର ଦେଇ ପାର୍କିଂସ୍ଥଳକୁ ଯିବ ।

ତେବେ ମ୍ୟାଚ୍‌ ଦିନ ଅର୍ଥାତ ରବିବାର ସକାଳ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ମହାନଦୀ ଓ କାଠଯୋଡି ରିଂବନ୍ଧରେ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ। ସେହିପରି ଶନିବାର ନେଟ୍‌ ଅଭ୍ୟାସ ପାଇଁ ରିଂରୋଡର ଚହଟା ଛକ ଓ ଶିଖରପୁର ଛକରୁ ବାଉଁଶ ଗଡା ପର୍ଯ୍ୟନ୍ତ ଦିନ ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ କୌଣସି ଭାରୀଯାନ ଚଳାଚଳ କରିବ ନାହିଁ ବୋଲି କଟକଣା ଜାରି କରାଯାଇଛି ।

ad-week
Leave A Reply

Your email address will not be published.