ସୁଧ ଟଙ୍କା ପାଇଁ ୯ବର୍ଷର ନାବାଳକ ପୁଅକୁ ଅପହରଣ !

କାକଟପୁର: ଥାନା ସମ୍ମୁଖରେ କାନ୍ଦି କାନ୍ଦି ଗୁହାରୀ କରୁଛନ୍ତି ବାପା ମାଆ । କହୁଛନ୍ତି ଆମ ପୁଅକୁ ଫେରାଇ ଆଣ । ସେ ସକାଳୁ କିଛି ଖାଇନି । ତାକୁ ଭାରି ଡର ଲାଗୁଥିବ । ହେଲେ କୁଆଡେ ଯାଇଛି ୟାଙ୍କ ପୁଅ । କିଏ ନେଇଛି ତାକୁ? ବୁଝୁ ବୁଝୁ ସାମ୍ନାକୁ ଆସିଲା ଏମିତି ଘଟଣା । କୁଆଡେ ଉଧାର ଆଣିଥିବା ଟଙ୍କା ନଫେରାଇବାରୁ ୯ ବର୍ଷର ନାବାଳକ ପୁଅକୁ ଅପହରଣ କରି ରଖିଛନ୍ତି ସୁଧ ଦେଇଥିବା ଜଣେ ମହିଳା । ଏହି ଦମ୍ପତି ସୁଧ ଟଙ୍କା ନ ଦେବାରୁ ତାଙ୍କ ପୁଅକୁ ଘରୁ ନେଇଯାଇଛନ୍ତି ଜୈନିକା ମହିଳା । ଆଉ ଏବେ ପୁଅକୁ ଉଦ୍ଧାର କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାପାମାଆ ।

ଉଧାର ଟଙ୍କା ପାଇଁ ନାବାଳକକୁ ଅପହରଣ କରି ନିଜ ଘରେ ବନ୍ଦ କରି ରଖିବା ଘଟଣା ଏବେ କାକଟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଇନିକୁ ଆଖିଠାର ମାରିବା ଭଳି ଏହି ଘଟଣା ପ୍ରଚାର ହେବା ପରେ ଘଟଣାରେ ହସ୍ତକ୍ଷେପ କରିଛି ପୋଲିସ୍ । ସୂଚନା ମୁତାବକ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାକଟପୁର ଥାନା ଅନ୍ତର୍ଗତ ଲତାହରଣ ଗ୍ରାମର ହାଟସାହି ଠାରେ । ଘଟଣା ଅନୁଯାୟୀ ଲତାହରଣ ହାଟସାହି ଗ୍ରାମର ଅଶୋକ କୁମାର ନାୟକ ଏବଂ ତାଙ୍କ ପତ୍ନୀ ଅରୁଣା କୁମାରୀ ନାୟକ ଏବଂ ତାଙ୍କର ୯ ବର୍ଷର ପୁଅ କୁ ଧରି ଶାରୀରିକ ଅସୁସ୍ଥତା ଯୋଗୁଁ କିଛିଦିନ ହେବ ତାଙ୍କ ଶ୍ୱଶୁର ଘର ନିଆଳି ନିକଟ ମଝିଖଣ୍ଡ ଗ୍ରାମରେ ରହୁଛନ୍ତି ।

ତେବେ ଗତ କିଛି ଦିନ ତଳେ ସେ ନିଜ ଗାଁ ଲତାହରଣ ହାଟସାହିର ମହିଳା ବିଷ୍ଣୁପ୍ରିୟା ଗୋଛାୟତ ନାମକ ଜଣେ ମହିଳାଙ୍କ ଠାରୁ ୩୦ହଜାର ଟଙ୍କା ଧାର ଆଣିଥିଲେ । ବିଭିନ୍ନ କାରଣରୁ ସେ ଉକ୍ତ ଟଙ୍କା ସମୟ ଅନୁଯାୟୀ ଫେରାଇ ପାରିନଥିଲେ । ତେବେ ଯାହା ଖବର ମିଳିଛି, ଅଶୋକ କୁମାର ନାୟକ ଭୁବନେଶ୍ୱରରେ କାମଧନ୍ଦା କରି ନିଜ ସ୍ତ୍ରୀଙ୍କର ଚିକିତ୍ସା କରାଉଛନ୍ତି । ତାଙ୍କର ୯ ବର୍ଷର ପୁଅ ନିଜର କିଛି ବହିପତ୍ର ଏବଂ ପୋଷାକ ନେବାପାଇଁ କାକଟପୁର ନିକଟ ଲତାହରଣ ହାଟସାହିକୁ ଯାଇଥିବା ସମୟରେ ସେହି ଗ୍ରାମର ବିଷ୍ଣୁପ୍ରିୟା ଗୋଛାୟତ ଯିଏକି ଅଶୋକଙ୍କୁ ଟଙ୍କା ଧାର ଦେଇଥିଲେ, ସେ ଅଶୋକଙ୍କ ୯ ବର୍ଷର ପୁଅର ହାତକୁ ଟାଣି ଟାଣି ନିଜ ଘରେ ବନ୍ଦ କରି ରଖିଦେଇଥିଲେ । ଏହା ସହିତ ପିଲାଟିର ବାପା ଏବଂ ମାଆଙ୍କୁ ଫୋନ କରି ଧାର ଟଙ୍କା ଫେରାଇବାକୁ ଧମକ ଦେଇଥିଲେ ।

ଖାଲି ସେତିକି ନୁହେଁ ପୁଅ ମାଧ୍ୟମରେ କୁହାଇଥିଲେ ଯେ, ସୁଧ ମୂଳ ସହିତ ତୁରନ୍ତ ଟଙ୍କା ଆଣି ମୋତେ ଦେଇଦେ, ଏବଂ ତୋ ପୁଅକୁ ଏଠାରୁ ନେଇଯା । ନ ହେଲେ ତୋ ପୁଅକୁ ମୁଁ ମାରିଦେବି । ଫୋନରେ ଏହିଭଳି କଥା ଶୁଣିବା ପରେ ପୁଅର ଉଭୟ ଅରୁଣା ଏବଂ ଅଶୋକତୁରନ୍ତ ନିଆଳି ଅଞ୍ଚଳରୁ ଆସି ଲତାହରଣ ହାଟସାହି ଠାରେ ପହଞ୍ଚିଥିଲେ ଏବଂ ପୁଅକୁ ଅପହରଣ କରାଯାଇ ଗୋଟିଏ ଘରେ ବନ୍ଦି ରଖାଯାଇଥିବା ନେଇ କାକଟପୁର ଥାନାର ଦ୍ଵାରସ୍ଥ ହୋଇଥିଲେ ।

ଏପଟେ ମାଆ ଏବଂ ବାପା ଥାନାରେ ଲିଖିତ ଅଭିଯୋଗ ଦେବା ପରେ କାକଟପୁର ପୋଲିସର ଦୁଇଜଣ କର୍ମଚାରୀ ଲତାହରଣ ହାଟସାହି ଠାରେ ପହଞ୍ଚି ବାପା ମାଆଙ୍କ ଅଭିଯୋଗ ମୁତାବକ, ବିଷ୍ଣୁପ୍ରିୟାଙ୍କ ଘରେ ପହଁଛି ସେଠାରୁ ପିଲାଟିକୁ ଉଦ୍ଧାର କରି ମୋଟର ସାଇକେଲ ଯୋଗେ କାକଟପୁର ଥାନାକୁ ନେଇ ଆଣିଥିଲେ । ଏହି ସମୟରେ ଅପହରଣ ଅଭିଯୋଗକୁ ବିଷ୍ଣୁପ୍ରିୟା ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ । ତେବେ ଏପଟେ ପିଲାଟିକୁ ବିଷ୍ଣୁପ୍ରିୟାଙ୍କ ଘରୁ ପୋଲିସ ଉଧାର କରୁଥିବାର ଚିତ୍ର ସ୍ପଷ୍ଟ କରୁଛି ଯେ କିଏ ସତ କହୁଛି ଆଉ କିଏ ମିଛ ।

ତେବେ ଅଭିଯୋଗକାରୀ ଅରୁଣାକୁମାରୀ ନାୟକ, ବିଷ୍ଣୁପ୍ରିୟା ଗୋଛାୟତଙ୍କ ଠାରୁ ୩୦ ହଜାର ଟଙ୍କା ସୁଧକୁ ନେଇଥିଲେ ଏବଂ ଦୀର୍ଘ ଦିନ ହେବାପରେ ମଧ୍ୟ ତାହାକୁ ସେ ଫେରାଇ ପାରିନଥିଲେ, ଯାହାର ପରିଣତି ସ୍ୱରୂପ ତାଙ୍କର ୯ ବର୍ଷର ପୁଅକୁ ତାଙ୍କ ଅନୁପସ୍ଥିତିରେ ଅପହରଣର ଶୀକାର ହେବାକୁ ପଡିଲା । ଯାହା ଆଇନି ଶୃଙ୍ଖଳା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

nis-ad
Leave A Reply

Your email address will not be published.