
ରାଉରକେଲା: ତାରିଖ ହେଉଛି ଫେବୃଆରୀ ମାସ ୧୨ ତାରିଖ । ସମୟ ପ୍ରାୟ ଦୁଇଟା ରୁ ତିନିଟା ହେବ । ସ୍ଥାନ ଚାନ୍ଦିପୋଷ ଥାନା କୁମାକେଲା ଓଭରବ୍ରିଜ୍ । ବ୍ରିଜ୍ ନିକଟରେ ଲୋକେ ଯିବା ଆସିବା କରିବା ବେଳେ ଦେଖିବାକୁ ମିଳିଥିଲା ଜଣେ ମହିଳାଙ୍କ ଦରପୋଡା ମୃତଶରୀର । ତେବେ ମୃତ ମହିଳା ଜଣକ ଥିଲେ ରାଉରକେଲା ସହରର ପଶୁମାର୍ଥୀ ଦୀପା । ଯାହାଙ୍କ ତଣ୍ଟି କାଟି ପ୍ରଥମେ ତାଙ୍କୁ ନିର୍ମମ ହତ୍ୟା କରାଯିବା ପରେ ଜାଳି ଦିଆଯାଇଥିଲା । ମୃତଦେହ ଉଦ୍ଧାର ହେବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ତେବେ ଏହାର ତିନି ଦିନ ପରେ ୧୫ ତାରିଖରେ କୁତ୍ରା ଥାନା ତୁନମୁରାର ରାସ୍ତା କଡ଼ରୁ ମିଳିଥିଲା ରାଉରକେଲା ସହରର ବ୍ୟବସାୟୀ ବିନୋଦ ଦାରୁକାଙ୍କ କ୍ଷତ ବିକ୍ଷତ ମୃତଦେହ । ଏହାପରେ ଦୁଇଟି ଘଟଣା ପୃଥକ ପୃଥକ ଭାବରେ ଆରମ୍ଭ ହୋଇଥିଲା ତଦନ୍ତ । ପରେ ଧୀରେ ଧୀରେ ଦୁଇ ହତ୍ୟା ଘଟଣା ଏକ ହେବାରେ ଲାଗିଲା ଏବଂ ଶେଷରେ ଦୁଇଟି ନିର୍ମମ ହତ୍ୟା ଘଟଣା ଗୋଟିଏ ଘଟଣା ପାଲଟିଲା । ତଦନ୍ତ ରେ ଯେଉଁ ସତ ସାମ୍ନା କୁ ଆସିଲା ତାହା ସମ୍ପୂର୍ଣ୍ଣ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ପୋଲିସକୁ ଦୋହଲାଇ ଦେଲା ।
ତେବେ ତଦନ୍ତର ସତ ଏତେ ଭୟଙ୍କର ଥିଲା ଯେ ତଦନ୍ତକାରୀ ରାଉରକେଲା ପୋଲିସ୍ ଏବଂ ସୁନ୍ଦରଗଡ଼ ପୋଲିସ୍ ହୋଇଯାଇଥିଲା କାବା । କିଭଳି ଜଣେ ସାନ ଭଉଣୀ ଟଙ୍କା ଲୋଭରେ ବଶୀଭୂତ ହୋଇ ନିଜ ବଡ଼ ଭଉଣୀ ସହ ବଡ଼ ଭଉଣୀର ପ୍ରେମିକକୁ କରିଲା ନିର୍ମମ ହତ୍ୟା । ରାଉରକେଲା ସହରର ବ୍ୟବସାୟୀ ବିନୋଦ ଦାରୁକାଙ୍କ ଘରେ ପ୍ରଥମେ ମୃତ ମହିଳା ପଶୁମାର୍ଥୀ ଦୀପା ହାଉସ ମେଡ ଭାବରେ କାର୍ଯ୍ୟ କରୁଥିଲେ । ବିନୋଦ ବିବାହିତ ଥିବା ପରେ ମଧ୍ୟ ତାଙ୍କର ପଶୁମାର୍ଥୀ ଦୀପାଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରାୟ ବର୍ଷକ ପରେ ଏହା ବିଷୟରେ ଜାଣି ପାରିଥିଲା ଦୀପାର ସାନ ଭଉଣୀ ରାଧା ଏବଂ ଅନୈତିକ ସମ୍ପର୍କ ସମ୍ବନ୍ଧରେ ଖୁଲାସା କରିଦେବା କହି ଆରମ୍ଭ କରିଥିଲା ବ୍ଲାକ ମେଲିଂ ।
ପ୍ରତ୍ୟକ ମାସ ବ୍ୟବସାୟୀଙ୍କ ଠାରୁ ନିଜ ବଡ଼ ଭଉଣୀ ଜରିଆରେ ରାଧା ନେଉଥିଲା ବିପୁଳ ଟଙ୍କା । ତେବେ ଗତ ପ୍ରାୟ ବର୍ଷେ ହେବ ଟଙ୍କା ଦେବାରେ ମନା କରିବା ଆରମ୍ଭ କରିଥିଲେ ମୃତ ମହିଳା ଦୀପା ଏବଂ ପ୍ରେମିକ ବିନୋଦ । ତେବେ ପ୍ରାୟ ଆଠ ମାସ ହେବ ନିଜ ବଡ଼ ଭଉଣୀର ପ୍ରେମିକ ଜଣେ ବ୍ୟବସାୟୀ ହୋଇଥିବାରୁ ତାଙ୍କୁ କିଡନାପ କରି ବଡ଼ ଧରଣର ଟଙ୍କା ହଡ଼ପ କରିବାକୁ ଯୋଜନା ରଚିଥିଲା ରାଧା । ତେବେ ବଡ଼ ଭଉଣୀ ବାଧା ସୃଷ୍ଟି କରୁଥିବାରୁ ବଡ଼ ଭଉଣୀକୁ ରାସ୍ତାରୁ ହାଠାଇବା ପାଇଁ ଆରମ୍ଭ କରିଥିଲା ଯୋଜନା ।
ଫେବୃଆରୀ ମାସ ଆରମ୍ଭରେ ସାନ ଭଉଣୀ ରାଧା ବଡ଼ ଭଉଣୀ ଦୀପାକୁ ମାଗିଥିଲା ଟଙ୍କା । ତେବେ ଟଙ୍କା ଦେବାକୁ ମନା କରିବାରୁ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବଚସା । ପରେ ବଡ଼ ଭଉଣୀକୁ ନିଜ ସହଯୋଗୀଙ୍କ ସହ ଉଠାଇନେଇ ରାଉରକେଲା ଠାରୁ ୩୫ କିଲୋମିଟର ଦୂର ଚାନ୍ଦିପୋଷ ଥାନା କୁମାକେଲା ନିକଟରେ ହତ୍ୟା କରି ବ୍ରିଜ ତଳକୁ ଫୋପାଡ଼ି ଦେଇ ଜାଳି ଦେଇଥିଲା । ଏବଂ ଏହାପରେ ବ୍ୟବସାୟୀ ବିନୋଦ ଦାରୁକାଙ୍କୁ ମଧ୍ୟ ଫୋନ କରି ଦୀପା ସହ ଭେଟ କରିବା ବାହାନାରେ ଡାକିଥିଲା । ବିନୋଦ ପହଁଚିବା ପରେ ରାଉରକେଲା ରୁ ଉଠାଇନେଇ କୁତ୍ରା ଥାନା ତୁନମୁରା ପ୍ରାୟ ୫୦ କିଲୋମିଟର ଦୂରରେ ହତ୍ୟା କରି ଫୋଫାଡ଼ି ଦେଇଥିଲା । ତେବେ ପୋଲିସ୍ ଠାରୁ ଧରା ନପଡିବା ପାଇଁ ଦୁଇ ଜଣଙ୍କୁ ପୃଥକ ପୃଥକ ସ୍ଥାନରେ କିଛି ଦିନର ଅବଧି ରେ ହତ୍ୟା କରିଥିଲେ ରାଧା ଏବଂ ତାର ସହଯୋଗୀ । ଏବଂ ହତ୍ୟାରେ ବ୍ୟବହାର ହୋଇଥିବା ସାମଗ୍ରୀକୁ ରାଉରକେଲା ଡିଏଭି ପୋଖରୀ ଏବଂ ବ୍ରାହ୍ମଣୀ ନଦୀରେ ଫୋଫାଡ଼ି ଦେଇଥିଲେ ।
ବର୍ତ୍ତମାନ ରାଉରକେଲା ଏବଂ ସୁନ୍ଦରଗଡ ପୋଲିସ୍ ଘଟଣାର ତଦନ୍ତ ପରେ ପ୍ରାୟ ୮ଦିନର ସଂଘର୍ଷ ପରେ ମୁଖ୍ୟ ଅଭିଯୁକ୍ତ ମହିଳା ସାନ ଭଉଣୀ ରାଧା ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ଚାପଡ଼ ଏବଂ ଧାରୁଆ ଛୁରୀ ସହ କାର୍ ଏବଂ ମୋବାଇଲ ଫୋନ ଜବତ କରିଛି ।