ଏୟାରଇଣ୍ଡିଆର ଦୟନୀୟ ସେବାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ଚୌହ୍ବାନ

add-all

କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏୟାରଇଣ୍ଡିଆର ବିମାନ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିମାନର ସିଟ୍‌ଗୁଡ଼ିକର ଖରାପ ସ୍ଥିତିକୁ ନେଇ ଶିବରାଜ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଶିବରାଜ କହିଛନ୍ତି, ସେ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବା ପାଇଁ ଏୟାରଇଣ୍ଡିଆ ବିମାନ ଏଆଇ୪୩୬ରେ ତାଙ୍କୁ ଟିକେଟ ମିଳିଥିଲା। ବିମାନର ସିଟ୍ ସଂଖ୍ୟା ୮ସି ତାଙ୍କୁ ଆବଣ୍ଟିତ ହୋଇଥିଲା। କିନ୍ତୁ ସେ ଯେତେବେଳେ ସିଟ୍‌ ନିକଟରେ ପହଞ୍ଚିଲେ, ସେତେବେଳେ ତାହା ଭଙ୍ଗାଦଦରା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ସିଟ୍‌ରେ ବସିବା କଷ୍ଟଦାୟକ ଥିଲା। ସେ ଏ ସମ୍ପର୍କରେ ବିମାନ କର୍ମଚାରୀଙ୍କୁ ଖରାପ ସିଟ୍‌ ଆବଣ୍ଟନ ସମ୍ପର୍କରେ ପ୍ରଶ୍ନ କରିବାରୁ ସେମାନେ ଉତ୍ତର ଦେଇଥିଲେ ଯେ, ଏହି ସିଟ୍ ଭଲ ନ ଥିବା ନେଇ ପରିଚାଳକଙ୍କୁ ସୂଚିତ କରାଯାଇଥିଲା। ଏହି ସିଟର ଟିକେଟ କୌଣସି ଯାତ୍ରୀଙ୍କୁ ବିକ୍ରି ନ କରିବାକୁ ମଧ୍ୟ କୁହାଯାଇଥିଲା। ଶିବରାଜ କହିଛନ୍ତି, ଯାତ୍ରା ସମୟରେ ସହଯାତ୍ରୀମାନେ ତାଙ୍କୁ ସେମାନଙ୍କ ସିଟ୍‌ରେ ବସିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ନିଜ ସୁବିଧା ପାଇଁ ଅନ୍ୟମାନଙ୍କୁ ଅସୁବିଧାରେ ପକାଇବାକୁ ଚାହିଁ ନ ଥିଲେ ଏବଂ ନିଜ ସିଟ୍‌ରେ ବସି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ।

ସେ ଆହୁରି ଲେଖିଛନ୍ତି ଯେ, ତାଙ୍କ ଧାରଣା ଥିଲା ଟାଟା କମ୍ପାନୀ ଏୟାର ଇଣ୍ଡିଆକୁ ହାତକୁ ନେବା ପରେ ଏହାର ସେବା ଉନ୍ନତମାନର ହେବ। କିନ୍ତୁ ଏହା ତାଙ୍କର ଭ୍ରମ ଥିଲା। ତାଙ୍କୁ ଏପରି ସିଟ ମିଳିଲା ବୋଲି ସେ କହୁନାହାନ୍ତି, କିନ୍ତୁ ଯାତ୍ରୀମାନଙ୍କଠାରୁ ଟଙ୍କା ନେଇ ଏପରି ଖରାପ ସିଟ୍‌ ଦେବା ଅନୈତିକ ଏବଂ ସେମାନଙ୍କ ପ୍ରତି ଧୋକ୍କା ବୋଲି ଶିବରାଜ କହିଛନ୍ତି। ତେବେ ଶିବରାଜଙ୍କ ଟ୍ବିଟ୍‌ ପରେ ଏୟାର ଇଣ୍ଡିଆ ପକ୍ଷରୁ ଏହାର ପ୍ରତିକ୍ରିୟା ରଖାଯାଇ କ୍ଷମାପ୍ରାର୍ଥନା କରାଯାଇଛି।

ad-week
Leave A Reply

Your email address will not be published.