ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା: ମେଡ଼ିକାଲରୁ ଥାନାକୁ ଫେରିଲା ଅଭିଯୁକ୍ତ

add-all

ସୋର: ସୋର ପୌର ପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ପ୍ରେମପାଇଁ ଗତ ଫେବ୍ରୁଆରି ୨୪ ତାରିଖ ପୂର୍ବାହ୍ନରେ ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଅଭିଯୁକ୍ତ ଡ଼ିସଚାର୍ଜ ହୋଇଥିବା ଜଣାପଡିଛି। ଗତ ୨୪ ତାରିଖ ପୂର୍ବାହ୍ନରେ ଏହି ଗ୍ରାମର ଜ୍ୟୋତିର୍ମୟୀ ରଣାଙ୍କୁ ତାଙ୍କ ପ୍ରେମିକ ଚୂଡ଼ାମଣି ଧଳସାହି ଗ୍ରାମର ବିଶ୍ୱରଞ୍ଜନ ପୁହାଣ ପ୍ରେମରେ ବିଫଳ ହୋଇ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ଫେରାର ହୋଇଯାଇଥିଲା। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ବାବଦରେ ଜ୍ୟୋତିର୍ମୟୀଙ୍କ ମାଆ ତୁଳସୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ବାଲେଶ୍ୱର ଏସପିଙ୍କ ତତ୍ୱାବଧାନରେ ୪ ଗୋଟି ଟିମ କରି ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଥିଲେ। ସେଥିରେ ଏକ ଟିମ ବିଶ୍ୱରଞ୍ଜନଙ୍କ ଗ୍ରାମ ନିକଟରେ ଜଗିରହିଥିଲା।ଗତ ୨୬ ତାରିଖ ସକାଳେ ଏହି ଟିମ ଅଭିଯୁକ୍ତ ଗ୍ରାମରେ ବୁଲୁଥିବା ଖବର ପାଇ ତାର ପିଛା କରିଥିଲା।

ବିଶ୍ୱରଞ୍ଜନ ଏହା ଜାଣିପାରି ସେଠାରୁ ଖସି ଯିବାକୁ ଚେଷ୍ଟା କରି ଗ୍ରାମ ନିକଟ ଏକ ଜଙ୍ଗଲିଆ ସ୍ଥାନରେ ବୁଦା ମୂଳରେ ବିଷ ପିଇ ଦେଇଥିଲେ। ପୁଲିସ ତାକୁ ସେଠାରୁ ଧରି ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସାପରେ ଡାକ୍ତର ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।

ତେବେ ପୁଲିସ ସେଠାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିଲା। ସେଠାରେ ଚିକିତ୍ସା ହେଉଥିବା ବେଳେ ଡାକ୍ତର ତାଙ୍କୁ ପାଞ୍ଚ ଦିନ ପରେ ଆଜି ଡ଼ିସଚାର୍ଜ କରିବା ପରେ ପୁଲିସ ସେଠାରୁ ସୋର ଥାନାକୁ ଆଣିଛି।

ad-week
Leave A Reply

Your email address will not be published.