ଇତିହାସ ବିଷୟରେ ବାବରନାମା ଓ ମନୁସ୍ମୃତି ସାମିଲ୍ କରିବାକୁ କଡ଼ା ବିରୋଧ: ପ୍ରସ୍ତାବ ପ୍ରତ୍ୟାହାର କରିବ ଦିଲ୍ଲୀ ୟୁନିଭର୍ସିଟି
ନୂଆଦିଲ୍ଲୀ: ଯୁକ୍ତ ଦୁଇ ଇତିହାସ ଅନର୍ସ ପେପରରେ ବାବରନାମା ଓ ମନୁସ୍ମୃତି ସାମିଲ୍ କରିବାକୁ ଅଧ୍ୟାପକମାନଙ୍କ କଡ଼ା ବିରୋଧ ପରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଯାଉଛି ଦିଲ୍ଲୀ ୟୁନିଭର୍ସିଟି। ଏନେଇ ଉପ-କୁଳପତି(ଭାଇସଚାନସେଲର) ଯୋଗେଶ ସିଂହ ସୂଚନା ଦେଇଛନ୍ତି। ଏହି ପ୍ରସ୍ତାବ ଯେପରି ଏକାଡେମିକ୍ ପରିଷଦ (AC) ସମ୍ମୁଖରେ ନ ଆସେ ତେଣୁ ସେ ତାଙ୍କର ଏମାର୍ଜେନ୍ସି କ୍ଷମତାର ବ୍ୟବହାର କରିବେ ବୋଲି କହିଛନ୍ତି।
ଏହି ପାଠ୍ୟ ବିଷୟଗୁଡ଼ିକୁ ବିଶ୍ୱ ବିଦ୍ୟାଳୟରେ କୋର୍ସରେ ସାମିଲ୍ କରିବା ପ୍ରସ୍ତାବକୁ ଗତ ଫେବ୍ରୁଆରୀ ୧୯ ତାରିଖରେ ଇତିହାସ ବିଭାଗର ଯୁଗ୍ମ ପାଠ୍ୟକ୍ରମ କମିଟି ଅନୁମୋଦନ ଦେଇଥିଲା। ହେଲେ ଏହାକୁ ପାଠ୍ୟକ୍ରମ ପରିବର୍ତ୍ତନଗୁଡ଼ିକୁ ସମୀକ୍ଷା କରୁଥିବା ଏକାଡେମିକ ପରିଷଦ ଏବଂ କାର୍ଯ୍ୟନିର୍ବାହୀ ପରିଷଦ (ଏକ୍ସିକ୍ୟୁଟିଭ କାଉନସିଲ) ଅନୁମୋଦନ ଦେଇନଥିଲା। ତେବେ ଏହି ବିଷୟ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ୍ ହେବ ନାହିଁ ବୋଲି ଉପକୁଳପତି ନିଷ୍ପତ୍ତି ନେଇଛନ୍ତି।
ଶ୍ରୀ ସିଂହ ଦି ଇଣ୍ଡିଆନ ଏକ୍ସପ୍ରେସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଡିୟୁ “ସମାଜକୁ ବିଭାଜିତ କରୁଥିବା” କୌଣସି ବିଷୟ ପାଠ୍ୟକ୍ରମରେ ସାମିଲ କରିବ ନାହିଁ। ଏହା ବଦଳରେ ବିକଳ୍ପ ପାଠ୍ୟ ବିଷୟ ଖୋଜାଯିବ ବୋଲି ସେ କହିଛନ୍ତି।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ମନୁସ୍ମୃତିକୁ ପାଠ୍ୟ ବିଷୟରେ ସାମିଲ୍ କରିବାକୁ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ସୁରେନ୍ଦ୍ର କୁମାର ବିରୋଧ କରିଥିଲେ। ଏନେଇ ସେ ଉପକୁଳପତିଙ୍କୁ ଚିଠି ଲେଖି ନିଜର ବିରୋଧ ଜଣାଇଥିଲେ। ସେ ଯୁକ୍ତି ଦେଇଥିଲେ ଯେ ମନୁସ୍ମୃତି ଜାତି-ଭିତ୍ତିକ ଭେଦଭାବ ଏବଂ ଅତ୍ୟାଚାରକୁ ପ୍ରୋତ୍ସାହିତ କରେ, ଯାହା ଏହାକୁ “ଭାରତର ସମ୍ବିଧାନ ଏବଂ ଆମ ସମାଜର ପ୍ରଗତିଶୀଳ ନୀତି ବିରୁଦ୍ଧରେ” ବୋଲି ଦର୍ଶାଉଛି।
ସେହିପରି ବାବରନାମାକୁ ମଧ୍ୟ ସେ ବିରୋଧ କରିଥିଲେ। ମୋଗଲ ସମ୍ରାଟ ବାବରଙ୍କ ସ୍ମୃତିଚାରଣ କରୁଥିବା ବାବରନାମାକୁ ସେ ସମାଲୋଚନା କରି କହିଥିଲେ ଯେ ଏହା ଭାରତରେ ବ୍ୟାପକ ଧ୍ୱଂସ ପାଇଁ ଦାୟୀ ଜଣେ ଆକ୍ରମଣକାରୀଙ୍କ ମହିମା ମଣ୍ଡନ କରୁଛି। ବାବରଙ୍କ ଆକ୍ରମଣର ନିଷ୍ଠୁରତା ଦର୍ଶାଇବା ପାଇଁ ସେ ଏକାଧିକ ଐତିହାସିକ ଏବଂ ଧାର୍ମିକ ଗ୍ରନ୍ଥଗୁଡିକର ଉଦାହରଣ ମଧ୍ୟ ଦେଇଥିଲେ।
ତେବେ ଏନେଇ ଅଧ୍ୟାପକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା। କିଛି ଏହାକୁ ଭାରତର ଇତିହାସ ଜାଣିବାକୁ ପ୍ରାଥମିକ ଉତ୍ସ ବୋଲି କହିଥିଲେ। ତେଣୁ ଏଥିରେ କଣ ଅଛି ତାର ସମର୍ଥନ ଓ ବିରୋଧ କରିବା ପରିବର୍ତ୍ତେ ଏହାକୁ ପାଠ୍ୟ ପୁସ୍ତକ ଭାବରେ ବିଚରା କରାଯାଉ ବୋଲି ସେମାନେ ତର୍କ ରଖିଥିଲେ।
ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ମନୁସ୍ମୃତିକୁ ବିରୋଧ କରିବା ଏହା ପ୍ରଥମ ଥର ନୁହେଁ। ଗତ ବର୍ଷ ଆଇନ(ଲ) ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ପରେ ବିରୋଧ ଯୋଗୁ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ସେତେବେଳେ ମଧ୍ୟ ଉପକୂଳପତି ଶ୍ରୀ ସିଂହ କହିଥିଲେ “ଆମେ ଏପରି କିଛି ଶିକ୍ଷା ଦେବୁ ନାହିଁ ଯାହା ଆମ ସମାଜକୁ ବିଭାଜିତ କରିବ। ଆମେ ଏକବିଂଶ ଶତାବ୍ଦୀରେ ବଞ୍ଚୁଛୁ।” ଏବେ ନୂଆ ପ୍ରସ୍ତାବ ବାତିଲ ହେବାକୁ ଯାଉଥିବାରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଅନ୍ୟାନ୍ୟ ବିକଳ୍ପ ବିକଳ୍ପ ବିଷୟ ଖୋଜୁଛି।
