ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ

add-all

ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ଜନ୍ମ ହୋଇଥିବା ଛୁଆ ମୃତ ବୋଲି ସୂଚନା ମଧ୍ୟ ମିଳୁଛି । ତେବେ ଛାତ୍ରୀ ଜଣଙ୍କ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ହୋଇଥିବା ବେଳେ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳୁ ଉକ୍ତ ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ମେଡିକାଲ ନେଇଥିଲେ । ମେଡିକାଲରେ ଛାତ୍ରୀଙ୍କ ଚିକିତ୍ସା କରିବା ପରେ ଛାତ୍ରୀ ଜଣକ ପରିସ୍ରା କରିବା ପାଇଁ ଶୌଚାଳୟକୁ ଯାଇଥିଲେ । ଏହି ସମୟରେ ସେ ଶୌଚାଳୟ ଭିତରେ ଏକ ମୃତ ଛୁଆକୁ ଜନ୍ମ ଦେଇଥିଲେ । ଏହି ଘଟଣା ହଇଚଇ ସୃଷ୍ଟି କରିଦେଇଛି । ପ୍ରସବ ପରେ ଛାତ୍ରୀଙ୍କୁ ମାତୃଶିଶୁ ବିଭାଗରେ ଚିକିତ୍ସିତ କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ସୂଚନା ମିଳିଛି ।

ସେପଟେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷ କିଛି ଜାଣି ନଥିବା କହିଛନ୍ତି। କଲେଜ ଛାତ୍ରୀ ନିବାସକୁ କିଛି ଦିନ ବ୍ୟବଧାନରେ ଚେକ୍ଅପ୍ ପାଇଁ ଡାକ୍ତର ଆସୁଥିଲେ ମଧ୍ୟ ଘଟଣା ସମ୍ପର୍କରେ କିପରି ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷ ଛାତ୍ରୀଙ୍କର ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା କହିଛନ୍ତି।

ad-week
Leave A Reply

Your email address will not be published.