କଟକ : ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ କ୍ରମେ ତାଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୬ ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ଏବେ କଲିକତା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଟଣ୍ଡନ ।
ଜାନୁଆରୀ ୧୯ରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡ଼ିଶା ହାଇକୋର୍ଟରୁ ଅଵସର ନେବା ପରେ ମୁଖ୍ୟ ବିଚାରପତି ପଦବୀ ଖାଲି ରହିଛି । ସେବେଠାରୁ ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ବଦଳି ପାଇଁ ଗତକାଲି ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଛନ୍ତି । ଜଷ୍ଟିସ ହରିଶ ଟଣ୍ଡନ ଏବେ ସର୍ବ ଭାରତୀୟ ସ୍ତରରେ ସପ୍ତମ ବରିଷ୍ଠ ହାଇକୋର୍ଟ ବିଚାରପତି । ୧୯୬୪ ମସିହା ନଭେମ୍ବର ୧୬ ରେ ଜଷ୍ଟିସ ଟଣ୍ଡନଙ୍କର ଜନ୍ମ । ୧୯୮୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୮୯ ରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।
ସେହିବର୍ଷ ସେପ୍ଟେମ୍ବର ୨୬ ରେ ଓକିଲ ଭାବେ ନାମ ପଞ୍ଜିକରଣ କରି ସେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଦେୱାନି ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ । ୨୦୧୦ ଏପ୍ରିଲ ୧୩ ତାରିଖରେ କଲିକତା ହାଇକୋର୍ଟରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେବେଠାରୁ ଏଯାଏ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ଅନେକ ଦୃଷ୍ଟାନ୍ତମୂଳକ ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କଲେଜିୟମଙ୍କ ଜଷ୍ଟିସ ଟଣ୍ଡନଙ୍କ ନିଯୁକ୍ତି ସୁପାରିଶକୁ କେନ୍ଦ୍ର ସରକାର ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ରାଷ୍ଟ୍ରପତି ତାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି ।
