ବିଜେଡି ସହ ସଂପର୍କ ତୁଟାଇ ବିଦେଶ ଚାଲିଯିବେ କି କାର୍ତ୍ତିକ ପାଣ୍ଡିଆନ୍‌.. ?

ଭୁବନେଶ୍ୱର :ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓଡ଼ିଶା ଛାଡ଼ିବେ । ତାଙ୍କର ଖାସ୍ ଅନୁଗତ ତଥା ତାଙ୍କ ଆତ୍ମଘୋଷିତ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓରଫ ବବି ଆନୁଷ୍ଠାନିକ ଭାବେ ବିଜେଡି ସମ୍ଭାଳିବେ । ବୟସାଧିକ୍ୟ ଯୋଗୁ ଦଳୀୟ ସାଂଗଠନିକ କାର୍ଯ୍ୟରେ ବିଶେଷ ରୁଚି ଦେଖାଉନଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡିକୁ ପରଦା ପଛରେ ରହି ପାଣ୍ଡିଆନ ପୂର୍ବଭଳି ନିୟନ୍ତ୍ରଣ କରିବେ । ଏଭଳି ରଣନୀତିକୁ ଆଖିରେ ରଖି ପାଣ୍ଡିଆନ ଗତ କିଛିଦିନ ଧରି ଦଳର ଆଗଧାଡ଼ିର ନେତାମାନଙ୍କୁ ନବୀନ ନିବାସ ଡାକି ଆଲୋଚନା କରିବା ସହ ସେ ଓଡ଼ିଶା ଛାଡ଼ୁଥିବାର ସନ୍ଦେଶ ଦେଇଥିବା ଜଣାପଡିଛି । ତେବେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳରେ ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ପାଣ୍ଡିଆନଙ୍କ ପ୍ରସ୍ତୁତ ଏହି ଇକୋସିଷ୍ଟମ ଓ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କେତେ ପ୍ରଭାବୀ ହୋଇପାରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ପାଣ୍ଡିଆନଙ୍କ ଏଭଳି ଲୁଚକାଳି ଖେଳ ବିଜେଡି ପାଇଁ ଅଧିକ କାଳ ହୋଇପାରେ ଓ ଦଳରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିଲେ ମଧ୍ୟ ଆଗଧାଡ଼ିର ନେତାମାନେ ମୁହଁରେ ତୁଣ୍ଡି ବାନ୍ଧି ପରିସ୍ଥିତି ଉପରେ ନଜର ରଖିଥିବା ସୂଚନା ମିଳିଛି ।

କୁଆଡ଼େ ଯିବେ ପାଣ୍ଡିଆନ….?

ନବୀନ ନିବାସର ସୂତ୍ରକୁ ଯଦି ବିଶ୍ୱାସ କରାଯାଏ ତା’ହେଲେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ‘ଓଡ଼ିଆ ନବବର୍ଷ’ ଅର୍ଥାତ୍ ପଣାସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବାର ସମ୍ଭାବନା ରହିଛି । ସେ ଲଣ୍ଡନରେ ଥିବା ବିଲ୍ ଆଣ୍ଡ ମିରିଣ୍ଡା ଗେଟସ୍ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଜୋଏ କେରେଲଙ୍କ ଟିମରେ ‘ଗଭର୍ଣ୍ଣମେଂଟ୍ ରିଲେସନ୍ ଆଣ୍ଡ ପଲିସି’ କ୍ଷେତ୍ରରେ ସହାୟକ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ଆଉ ସେ ନିୟମିତ ଭାବେ ପ୍ରତିମାସରେ ଓଡ଼ିଶା ଓ ଦିଲ୍ଲୀ ଆସି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ନବୀନଙ୍କ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟ ସେ ବିଦେଶରୁ ରହି ତୁଲାଇବେ ବୋଲି ଜଣାପଡ଼ିଛି ।

କାହିଁକି ଓଡ଼ିଶା ଛାଡ଼ୁଛନ୍ତି ପାଣ୍ଡିଆନ..?

ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଛି । ଦଳର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି ଓ ମାତ୍ରାଧିକ କ୍ଷମତା ନିଶା ଯୋଗୁ ବିଜେଡିକୁ ନିର୍ବାଚନରେ ପରାଜୟ ହେବାକୁ ପଡ଼ିଲା ବୋଲି ଦଳର ନେତାମାନେ କହିବାରେ ଲାଗିଛନ୍ତି । ଯଦିଓ ପାଣ୍ଡିଆନ ନିଜେ ପରାଜୟକୁ ସ୍ୱୀକାର କରି ୨୦୨୪ ଜୁନ୍ ମାସରେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ କିନ୍ତୁ ନବୀନ ନିବାସରେ ସେ ନବୀନଙ୍କ ପାଖରେ ଛାଇ ଭଳି ରହୁଥିବାରୁ ତାଙ୍କର ଭୂମିକା ‘ଚଟୁ ଆମିଷ ବେଂଟ ନିରାମିଷ’ ସଦୃଶ ହୋଇଥିବା ଚର୍ଚ୍ଚା ହେଉଛି । ଯଦିଓ ପାଣ୍ଡିଆନ ବିଜେଡିର କୌଣସି ନେତାଙ୍କୁ ବିଶ୍ୱାସ କିମ୍ବା ଭରସାକୁ ନେଉନାହାନ୍ତି ତେଣୁ ନିଜର ଅପେକ୍ଷାକୃତ ଅନୁଗତ ବବିଙ୍କ ମାଧ୍ୟମରେ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.