‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ ପରେ ତୁଳସୀରେ କାମ କରିବେ ନାହିଁ । ତେବେ ଜୀବନର ସୁରକ୍ଷା ପାଇଁ ବାଲିଚନ୍ଦ୍ରପୁର ଥାନାକୁ ନ ଯାଇ ଅନଲାଇନରେ ଏତଲା ଦେଲେ । ସେ କଳାକାର ମହସଂଘ ଓ ବରିଷ୍ଠ କଳାକାରଙ୍କ ସହ କଥା ହେବା ପରେ ଆଇନର ଆଶ୍ରୟ ନେଇଛନ୍ତି । ସେ କହିଛନ୍ତି ନ୍ୟାୟ ନ ମିଳିଲେ ଯାତ୍ରାରୁ ସନ୍ୟାସ ନେବି।

ନରି ପଣ୍ଡା କହିଛନ୍ତି, ତୁଳସୀ ପାର୍ଟିର ମାଲିକ ଓ ତାଙ୍କ ସହଯୋଗୀ ମାନେ ମୋତେ ଧମକ ଦେଉଛନ୍ତି। ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ମାନବାଧିକାର କମିଶନଙ୍କୁ ମଧ୍ୟ ଅବଗତ କରିଛନ୍ତି । ତେବେ ଅନ୍ୟ ଯାତ୍ରା ପାର୍ଟିରୁ ଅଧିକ ଟଙ୍କା ନେବା ଘଟଣାକୁ ନେଇ ନରି ପଣ୍ଡା କହିଛନ୍ତି ଯେ ତୁଳସୀ ମାଲିକ ପ୍ରମାଣ ଦିଅନ୍ତୁ । ଯଦି ମୁଁ ଅନ୍ୟ କେଉଁ ଯାତ୍ରା ପାର୍ଟି ସହ ଚୁକ୍ତି କରିଥିବି ତାହା ହେଲେ ୩ ବର୍ଷ ପାଇଁ ତୁଳସୀ ପାର୍ଟିରେ ବିନା ପାରିଶ୍ରମିକରେ ଅଭିନୟ କରିବି । କିନ୍ତୁ ଯଦି ନ୍ୟାୟ ନ ମିଳେ ତାହା ହେଲେ ସେ ଯାତ୍ରା ଜଗତରୁ ସନ୍ନ୍ୟାସ ନେବା ସହ ମଞ୍ଚରୁ ବିଦାୟ ନେବି। ଯେଉଁ ସମୟରେ ସେ ତୁଳସୀ ମାଲିକଙ୍କୁ ଭେଟିଥିଲେ ସେହି ସମୟର ସିସିଟିଭି ଫୁଟେଜ ସାର୍ବଜନୀନ କରନ୍ତୁ, ନ ହେଲେ ସାଧାରଣ ଲୋକେ ସତ ଜାଣି ପାରିବେ ନାହିଁ । ତେବେ ନରିଙ୍କ ଅନଲାଇନ ଅଭିଯୋଗ ଉପରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ସୂଚନାଯୋଗ୍ୟ, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ।

ସେ ତୁଳସୀ ଗଣନାଟ୍ୟରେ ରହିବେ ନାହିଁ। ସେଥିପାଇଁ ସେ ନେଇଥିବା ୧୦ ଲକ୍ଷ ଟଙ୍କା ଫେରସ୍ତ କରିବା ପାଇଁ ମାଲିକଙ୍କ ପାଖକୁ ଆସିଥିବା ସମୟରେ ତାଙ୍କୁ ମାଲିକ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ନରି ପଣ୍ଡା। ନରି ପଣ୍ଡାଙ୍କ ଅଭିଯୋଗ ସମ୍ପୂର୍ଣ ଭିତ୍ତିହିନ ବୋଲି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଥିଲେ। ସେ ୧୬ ଲକ୍ଷ ଟଙ୍କା ପାଇଁ ଏଗ୍ରିମେଣ୍ଟ ହୋଇଥିଲେ।୧୦ ଲକ୍ଷ ଟଙ୍କା ନେଇଥିଲେ। ଅନ୍ୟ ଯାତ୍ରା ପାର୍ଟିରୁ ଅଧିକ ଟଙ୍କା ପାଇବା ଆଶାରେ ସେ ଏହିଭଳି ନାଟକ କରୁଛନ୍ତି। ସେ ତାଙ୍କ ପତ୍ନୀଙ୍କୁ କୌଣସି ଖରାପ ବ୍ୟବହାର କରି ନାହାନ୍ତି। ସେଦିନ ସେ ଟଙ୍କା ଫେରାଇବା ପାଇଁ ଆସିଥିବା ବେଳେ ମାଡ ମାରିଥିବା କଥାକୁ ଖଣ୍ଡନ କରିଥିଲେ ତୁଳସୀ ଗଣନାଟ୍ୟର ମାଲିକ।

nis-ad
Leave A Reply

Your email address will not be published.