ୱାକଫ୍‌ ବିଲ୍‌ ଭୋଟିଂରେ ବିଜେଡିର ଦ୍ବିମତ: ଉଷ୍ମ ହେଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କେନ୍ଦ୍ରସରକାରଙ୍କ ଦ୍ବାରା ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି, ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ । ଉଭୟ ଗୃହରେ ବିଜେପି ନେତୃତ୍ବାଧିନ ଏନଡିଏ ସରକାର ବହୁମତ ହାସଲ କରିଛି । କିନ୍ତୁ ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା ଦେଇଛି ବିଜେଡି । ସବୁବେଳେ ସମଦୂରତା, ବିଜେପି ବିରୋଧରେ ସ୍ବର ଉଠାଉଛି ବୋଲି ଦାବି କରି, କାଲି ଠିକ୍ ସମୟରେ ପଟ ବଦଳାଇ ଦେଇଛି । ଯାହାକୁ ନେଇ ଏବେ ବର୍ଷିଛି ରାଜ୍ୟ କଂଗ୍ରେସ । ଓ୍ବାକଫ୍ ବିଲକୁ ନେଇ ବିଜେଡିର ମତ ଭିନ୍ନ ଭିନ୍ନ ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ତାତ୍ସଲ୍ୟ କରିଛି କଂଗ୍ରେସ । ନିଜେ ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ମଧ୍ୟ ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

ତେବେ ବୁଧବାର ଲୋକସଭାରେ ଓ୍ବାକଫ୍ ବିଲ୍ ପାରିତ ହେବା ପରେ ଗୁରୁବାର ରାଜ୍ୟସଭାରେ ଗୃହୀତ ହୋଇଥିଲା । ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି । ଲୋକସଭାରେ ପାରି ହେବା ପୂର୍ବରୁ ବିଜେଡି ଏହାକୁ ବିରୋଧ କରୁଛନ୍ତି ବୋଲି ଖୋଦ୍ ବିଜେଡି ସାଂସଦ ସସ୍ମିତ୍ ପାତ୍ର ସୂଚନା ଦେଇଥିଲେ । ଏନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ରାଜ୍ୟସଭା ଭୋଟିଂରେ ବିଜେଡି ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେନେଇ ଦ୍ବନ୍ଦ୍ବ ଦେଖା ଦେଇଥିଲା । ହେଲେ ଘଟଣା ଦିନ ନିଜର ମତ ବଦଲାଇଥିଲେ ସସ୍ମିତ୍ । ସେ ବିଲକୁ ସମର୍ଥନ କରୁଛନ୍ତି ବୋଲି କହିଥିଲେ ଏବଂ ଅନ୍ୟ ସାଂସଦଙ୍କ ଆଭିମୁଖ୍ୟ କ’ଣ ହେବ ସେ ଜାଣିନାହାନ୍ତି ବୋଲି ମତ ରଖିଥିଲେ । ଏନେଇ ସସ୍ମିତ ତାଙ୍କ ଟ୍ବିଟରେ ଜଣାଇଥିଲେ, ଭୋଟିଂରେ ଭାଗ ନେବା ନେଇ ଦଳ ପକ୍ଷରୁ କୌଣସି ହ୍ବିପ ଜାରି କରାଯାଇନାହିଁ  । ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ହେଲେ ପରେ ଜଣାପଡିଥିଲା, ବିଜେଡିର ଅନ୍ୟତମ ପୁରୋଧା ତଥା ସାଂସଦ ମୁନା ଖାନ୍ ବିଲ୍ ବିରୋଧରେ ନିଜର ମତ ରଖିଥିଲେ । ଏପରିକି ତାଙ୍କ ଦଳ ବିଲ୍‌ ବିରୋଧରେ ଭୋଟ୍‌ କରିବ ବୋଲି କହିଥିଲେ । ଯାହାକୁ ନେଇ ବିଜେଡିର ଏଭଳି ଦ୍ବିମତ ସ୍ଥିତି ଏବେ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି । ବାସ୍ତବରେ ବିଜେଡିର ଆଭିମୁଖ୍ୟ କ’ଣ?, ଅନ୍ୟବିଜେଡି ସାଂସଦମାନଙ୍କ ସମର୍ଥନ କ’ଣ ରହିଥିଲା?, ତାହା ଏବେ ଅସ୍ପଷ୍ଟ ।

nis-ad
Leave A Reply

Your email address will not be published.