ଦଳିତ ନେତାଙ୍କ ପୂଜାର୍ଚ୍ଚନା ପରେ ମନ୍ଦିରରେ କାହିଁକି ଗଙ୍ଗାଜଳ ଛିଞ୍ଚି ଶୁଦ୍ଧିକରଣ କରାଯାଇଥିଲା, ବିଜେପି କ୍ଷମା ମାଗିବା ଉଚିତ୍: ଜୟରାମ ରମେଶ

ନୂଆଦିଲ୍ଲୀ: ରାଜସ୍ଥାନର ଦଳିତ କଂଗ୍ରେସ ନେତା ଟିକାରାମ ଜୁଲି ଅଲୱରର ଏକ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭଗବାନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରାଜ୍ୟର ଶାସକ ବିଜେପି ନେତା ଜ୍ଞାନଦେବ ଆହୁଜା ଟିକାରାମ ଜୁଲି ମନ୍ଦିର ପରିଦର୍ଶନ କରିବା ପରେ ଗଙ୍ଗାଜଳ ଛିଞ୍ଚି ମନ୍ଦିରର ଶୁଦ୍ଧିକରଣ କରିଥିଲେ। ଏହି ପ୍ରସଙ୍ଗ ଏବେ ତୀବ୍ର ହୋଇଛି।

କଂଗ୍ରେସ ମହାସଚିବ ଜୟରାମ ରମେଶ ଏହି କାର୍ଯ୍ୟକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି ଏବଂ ବିଜେପି ନେତୃତ୍ୱକୁ କ୍ଷମା ମାଗିବାକୁ ଅପିଲ୍ କରିଛନ୍ତି। ସେ ଏହି ଘଟଣାକୁ ବିଜେପି ଏବଂ ଆରଏସଏସର ଦଳିତ ବିରୋଧୀ ମାନସିକତାର ଖୋଲା ପ୍ରଦର୍ଶନ ବୋଲି ଅଭିଯୋଗ କରିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ସବ୍‌କା ସାଥ୍, ସବ୍‌କା ବିକାଶ ନେଇ ବିଜେପି କହୁଛି। ବିଜେପି ସମସ୍ତ ଧର୍ମ ଏବଂ ଜାତିକୁ ଏକାଠି ନେଇ ଆଗକୁ ବଢ଼ିବା ବିଷୟରେ କହୁଛି। କିନ୍ତୁ ଦଳର ପ୍ରକୃତ ଚେହେରା ଅନ୍ୟ କିଛି। ବିଜେପି ଯେ, ଦଳିତ ବିରୋଧୀ, ତାହା ରାଜସ୍ଥାନ ନେତା ଜ୍ଞାନଦେବ ଆହୁଜାଙ୍କ କାର୍ଯ୍ୟରୁ ସ୍ପଷ୍ଟ ହେଉଛି।
ଜୟରାମ ରମେଶ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ବିଜେପି ଏବଂ ଆରଏସଏସର ବିଚାରଧାରା ଦଳିତ ବିରୋଧୀ, ଭେଦଭାବ ଏବଂ ସଂକୀର୍ଣ୍ଣ ମାନସିକତାରେ ଗଭୀର ଭାବରେ ଜଡିତ। ଏହି ଚିନ୍ତାଧାରାର ତାଲିମ ନାଗପୁରରେ ଦିଆଯାଉଛି, ଯେଉଁଠାରେ ସମନ୍ୱୟର ଏକ ଛଳନା ରହିଛି, ଏବଂ ସେମାନଙ୍କର ଛଳନା ବାରମ୍ବାର ପ୍ରକାଶ ପାଉଛି।

ଟିକାରାମ ଜୁଲି ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଏବଂ ଦଳିତ ସମ୍ପ୍ରଦାୟର ଜଣେ ସମ୍ମାନିତ ନେତା। ରାମ ନବମୀରେ ମନ୍ଦିର ଦର୍ଶନ ପରେ ବିଜେପି ନେତା ଜ୍ଞାନଦେବ ଆହୁଜାଙ୍କ ଦ୍ୱାରା ଗଙ୍ଗାଜଳ ସହିତ ଶ୍ରୀରାମଙ୍କ ମନ୍ଦିରର ଶୁଦ୍ଧିକରଣ ବିଜେପି-ଆରଏସଏସର ଗଭୀର ଦଳିତ ବିରୋଧୀ ମାନସିକତାର ଏକ ଖୋଲା ପ୍ରଦର୍ଶନ।

ସେ ଦାବି କରିଛନ୍ତି ଯେ, ଏହି ଆଚରଣ ପ୍ରଭୁ ଶ୍ରୀରାମଙ୍କ ମୌଳିକ ଆଦର୍ଶର ଘୋର ଅପମାନ। କଂଗ୍ରେସ ନେତା କହିଛନ୍ତି, ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସାରା ଜୀବନ ଏପରି ମାନସିକତା ବିରୁଦ୍ଧରେ ଲଢ଼ିଥିଲେ। ସମ୍ବିଧାନ ମାଧ୍ୟମରେ, ସେ ଏପରି ଏକ ଭାରତ ଗଠନ କରିବାକୁ ଚାହୁଁଥିଲେ ଯେଉଁଠାରେ ଜାତିଭେଦର କୌଣସି ସ୍ଥାନ ନଥିବ। କିନ୍ତୁ ଆଜି ସେହି ସମ୍ବିଧାନର ଆତ୍ମାକୁ ବିଜେପି-ଆରଏସଏସ ଦଳ ନଷ୍ଟ କରୁଛି।

ଜ୍ଞାନଦେବ ଆହୁଜାଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ପ୍ରଶ୍ନ ହେଉଛି, ଜ୍ଞାନଦେବ ଆହୁଜାଙ୍କ ଭଳି ନେତାମାନେ ଏତେ ଘୃଣ୍ୟ ଭାବରେ ଚିନ୍ତା କରିବା ଏବଂ ଏପରି ଘୃଣ୍ୟ ଆଚରଣ କରିବା ପାଇଁ ଶକ୍ତି କେଉଁଠାରୁ ପାଉଛନ୍ତି? ମାତ୍ର ଏହାର ଉତ୍ତର ଅତି ସରଳ। ସେମାନେ ଏହି ଶକ୍ତି ଏପରି ଏକ ବିଚାରଧାରାରୁ ପାଇଛନ୍ତି ଯାହାର ପରମ୍ପରା ବହିଷ୍କାର ଏବଂ ଭେଦଭାବରୁ ଉତ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜ୍ଞାନଦେବ ଆହୁଜା ମଧ୍ୟ ଏହି ପରମ୍ପରାରେ ଆସିଥାନ୍ତି। ରମେଶ କହିଛନ୍ତି,ଏହା ଏକ ବ୍ୟତିକ୍ରମ ନୁହେଁ, ଏହା ସେମାନଙ୍କର ପରିଚୟ। ଏହି ଲଜ୍ଜାଜନକ ଘଟଣା ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ସାର୍ବଜନୀନ ଭାବରେ କ୍ଷମା ମାଗିବା ଉଚିତ୍ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.