କଟକ୦୯/୪: କଟକ ମହାନଗର ନିଗମ କାଉନସିଲ ବୈଠକରେ ହଙ୍ଗାମା । ଭାଙ୍ଗିଲା କାଚ ଗ୍ଲାସ । ଉଡିଲା ଫାଇଲ । ହାତରେ ବ୍ୟାନର ଧରି ତୁମ୍ବି ତୋଫାନ । ଦେଢ ଘଣ୍ଟା ଯାଏ ପରି ଚାଲିଲା ହାଇଡ୍ରାମା । ନା ବିରୋଧୀଙ୍କ ଆକ୍ଷେପ ଉପରେ କିଛି ଉତ୍ତର ମିଳୁଥିଲା ନା ମେୟରଙ୍କ ସଫେଇକୁ କେହି ଶୁଣିବାକୁ ପ୍ରସ୍ତୁତ ଥିଲେ ।ଓପନ ଜିମ୍ ଉପକରଣ କିଣାରେ ଦୁର୍ନିତି, କାଉନସିଲର ବିନା ଅନୁମୋଦନରେ ଜୈବ ବର୍ଜ୍ୟ ବସ୍ତୁ ପରିଚାଳନା ଟେଣ୍ଡର, ଓଏଷ୍ଟାବ୍ଲିସମେଣ୍ଟ କମିଟିର ବିନା ଜାଣତରେ କର୍ମଚାରୀ ନିଯୁକ୍ତି କରାଯାଇଥିବା ଭଳି ସଂଗୀନ ଅଭିଯୋଗ ଆଣି ସମସ୍ତ କର୍ପୋରେଟର ମେୟରଙ୍କୁ ମାଗିଥିଲେ କୈଫତ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମେୟର ସୁବାସ ସିଂଙ୍କୁ ବୈଠକରେ କେହି ଗୁରୁତ୍ବ ଦେଲେନି । ମେୟରଙ୍କୁ ବିରୋଧ କରିଛନ୍ତି ଖୋଦ୍ ତାଙ୍କ ଦଳର ମହିଳା କର୍ପୋରେଟର । ୫୫ ନମ୍ବର ୱାର୍ଡର କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା ଏକ ପ୍ରଶ୍ନ ଉଠାଇ, ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି।
ମେୟର ସୁବାଷ ସିଂଙ୍କ ନେତୃତ୍ବରେ ସିଏମ୍ସି କାଉନସିଲ୍କୁ ପୁରିଛି ୩ ବର୍ଷ । ବୁଧବାର ଥିଲା କାଉନସିଲ୍ର ୩୦ ତମ ଅଧିବେଶନ । ହେଲେ ମିଟିଂ ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଥିଲା ଡ୍ରାମା । ପରିସ୍ଥିତି ଏପରି ହୋଇଥିଲାଯେ, ଏଷ୍ଟାବ୍ଲିସମେଣ୍ଟ କମିଟି ଅଧ୍ୟକ୍ଷ ରାକେଶ ସ୍ୱାଇଁ ଇସ୍ତଫା ଦେବାକୁ ଚେତାବନୀ ଦେବା ଯାଏ କଥା ଗଲା । ସେପଟେ ହଙ୍ଗାମା ପରେ ପ୍ରତିକ୍ରିୟା ରଖିଛନ୍ତି ମେୟର । ଆସନ୍ତା ସପ୍ତାହରେ କଟକ ସହରରେ ଏକାଧିକ ପ୍ରକଳ୍ପ ଲୋକାର୍ପିତ ହେବା ନେଇ କାଉନସିଲକୁ ସୂଚନା ଦେଇଛନ୍ତି ମେୟର। କିନ୍ତୁ ନବୀକରଣ କାମ ନାଁରେ ଯେଉଁ ସବୁ ଅନିୟମିତତା ହୋଇଛି ତାର, ବିଭାଗୀୟ ତଦନ୍ତ ହେବା ଦାବି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି ।
