ପାଟଣା: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନରେ ଭାଗ୍ୟ ପରଖିବେ ସବୁ ରାଜନୈତିକ ଦଳ । ଏହି ନିର୍ବାଚନରେ ଗୋଟିଏ ପଟେ ବିଜେପି, ଜନତା ଦଳ ୟୁନାଇଟେଡ୍, ଆରଜେଡି ଏବଂ କଂଗ୍ରେସ ପରି ପୁରୁଣା ଦଳଗୁଡ଼ିକ ପ୍ରତିଦ୍ୱନ୍ଦିତା କରିବେ । ଅନ୍ୟପଟେ ନିର୍ବାଚନ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ‘ଜନ ସୁରଜ’ ଭଳି ନୂଆ ଦଳର ନେତାମାନେ ଅନ୍ୟ ପୁରୁଖା ନେତାମାନଙ୍କ ସହ ନିର୍ବାଚନୀ ମୁକାବିଲା କରିବେ । ଏହି ଦଳଗୁଡ଼ିକ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କ ଦଳ ‘ଆପ୍ ସବ୍କି ଆୱାଜ’ ଓ ଶିବଦୀପ ବମନରାଓ ଲାଣ୍ଡେଙ୍କ ‘ହିନ୍ଦ ସେନା’ ନାମ ମଧ୍ୟ ସାମିଲ ଅଛି । ବିହାର ନିର୍ବାଚନରେ ଏହି ନୂଆ ଦଳଗୁଡ଼ିକର ଯୋଜନା କଣ ରହିବ ତାହାକୁ ନେଇ ଆରମ୍ଭ ହେଲାଣି କଳ୍ପନାଜଳ୍ପନା ।
‘ଆପ୍ ସବ୍କି ଆୱାଜ’
ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂଙ୍କ ଦଳ ହେଉଛି ‘ଆପ୍ ସବ୍କି ଆୱାଜ’ । ଏଥର ବିହାର ନିର୍ବାଚନ ସମରରେ ଏହି ଦଳ ନେତାମାନେ ବିଜୟୀ ହେବାକୁ ଜୋର ଲଗାଇବେ । ବିହାରରେ ୨୪୩ ବିଧାନସଭା ଆସନ ରହିଛି । କେତୋଟି ଆସନ ପାଇଁ ‘ଆପ୍ ସବ୍କି ଆୱାଜ’ ଦଳ ପ୍ରାର୍ଥୀ ଦେବ ତାହାକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଏକ ସମୟରେ ଆର୍ସିପି ସିଂହ ନୀତିଶ କୁମାରଙ୍କ ସବୁଠାରୁ ଭରସାଯୋଗ୍ୟ ନେତା ଭାବରେ ଗଣା ଯାଉଥିଲେ । ହେଲେ ୨୦୨୨ରେ ସେ ଜେଡିୟୁଠାରୁ ନିଜକୁ ଅଲଗା କରିଥିଲେ । ଆର୍ସିପି ସିଂ ବିଜେପି ସହ ମିଶି ଜେଡିୟୁ ଭାଙ୍ଗିବାକୁ ପ୍ରୟାସ କରୁଥିବା ଅଭିଯୋଗ ଆଣିଥିଲେ ନୀତିଶ କୁମାର । ଜେଡିୟୁ ଛାଡ଼ିବା ପରେ ସେ ବିଜେପିରେ ସାମିଲ ହୋଇଥିଲେ । ଗତବର୍ଷ ସେ ବିଜେପିରୁ ଇସ୍ତଫା ଦେଇ ଗଢ଼ିଥିଲେ ‘ଆପ୍ ସବ୍କି ଆୱାଜ’ ଦଳ ।
‘ହିନ୍ଦ ସେନା’
ବିହାରର ସିଙ୍ଘମ ନାମରେ ପରିଚିତ ଆଇପିଏସ୍ ଅଧିକାରୀ ଶିବଦୀପ ବମନରାଓ । ନିକଟରେ ସେ ହିନ୍ଦ ସେନା ନାମକ ଏକ ରାଜନୈତିକ ଦଳ ଗଠନ କରିଛନ୍ତି । ଏଥର ବିଧାନସଭା ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବିହାରର ସମସ୍ତ ବିଧାନସଭା ଆସନରେ ତାଙ୍କ ପ୍ରାର୍ଥୀ ନାମାଙ୍କନ ଭରିବେ । ତେଣୁ ଏହି ଦଳର ନେତାଙ୍କ ଉପରେ ଭୋଟର କେତେ ଭରସା କରିବେ ତାହାରି ଉପରେ ନଜର ରହିବ । ୨୦୦୬ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶିବଦୀପ ବମନରାଓ । ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ରାଜନୈତିକ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ମନସ୍ଥ କରିଥିଲେ ।
‘ଇଣ୍ଡିଆନ ଇନ୍କଲାବ ପାର୍ଟି’
ବିହାର ବିଧାନସଭା ନିର୍ବାଚନର ଅବତୀର୍ଣ୍ଣ ହେବ ଇଣ୍ଡିଆନ ଇନ୍କଲାବ ପାର୍ଟି । ଅଖିଳ ଭାରତୀୟ ମହାସଂଘର ପ୍ରମୁଖ ଆଇପି ଗୁପ୍ତା କିଛି ଦିନ ପୂର୍ବରୁ ହିଁ ପାଟନାର ଗାନ୍ଧୀ ମୈଦାନରେ ଆୟୋଜିତ ଏକ ରାଲିରେ ଇଣ୍ଡିଆନ ଇନ୍କଲାବ ପାର୍ଟି ଗଠନ କରିବାକୁ ଘୋଷଣା କରିଥିଲେ । ଆଇପି ଗୁପ୍ତାଙ୍କୁ ତାଁତି ତତ୍ତ୍ୱ ସମାଜର ସମର୍ଥନ ମିଳିଛି । ସେ ନିଜ ସମାଜ ପାଇଁ ଆରକ୍ଷଣ ଦାବି କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ କି ନାହିଁ, ଏଥିପାଇଁ ଆଇପି ଗୁପ୍ତା ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି ।
ଏହିସବୁ ଦଳ ଛଡ଼ା ଏଥର ବିହାର ନିର୍ବାଚନରେ ଆହୁରି ଛୋଟଛୋଟ ରାଜନୈତିକ ପାର୍ଟି ବି ପ୍ରତିଦ୍ୱନ୍ଦିତା କରୁଥିବା ନଜର ଆସିବେ । ଏହିସବୁ ରାଜନୈତିକ ଦଳ ତାଲିକାରେ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି, ପଶୁପତି ପାରସଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି, ଉପେନ୍ଦ୍ର କୁଶୱାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଭଳି ଦଳ ଅନ୍ତର୍ଭୁକ୍ତ । ଲୋକ ଜନଶକ୍ତି ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଏନ୍ଡିଏରେ ସାମିଲ ଥିଲେ, କିନ୍ତୁ ପଶୁପତି ପାରସଙ୍କ ଦଳ ଗତକାଲି ସେ ଏହି ଗଠବନ୍ଧନରୁ ବାହାରିବା ଯାଇଥିବା ଘୋଷଣା କରିଛି ।
