ୟୁପିରେ ଆସନ ବଣ୍ଟନ ଆଲୋଚନାର ନେତୃତ୍ୱ ନେବେ ପ୍ରିୟଙ୍କା

kalipuja

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା) ସହ ଆସନ ବଣ୍ଟନ ଆଲୋଚନାର ନେତୃତ୍ୱ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନେବେ। ଏକ ସୂତ୍ରରୁ ଏହା ଜଣାପଡ଼ିଛି। ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ବଢ଼ିଛି।
ଏହି ନିର୍ବାଚନ ପ୍ରସ୍ତୁତି ନେଇ ସୋମବାର ନୂଆଦିଲ୍ଲୀରେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ ଏବଂ ରାଜ୍ୟରେ ଦଳର କାର୍ଯ୍ୟକାରୀ ସଭାପତି ତଥା ସାଂସଦ ଇମ୍ରାନ ମସୁଦଙ୍କୁ ମେଣ୍ଟ ସହଯୋଗୀଙ୍କ ବିରୋଧରେ ଅନାବଶ୍ୟକ ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକ ପରେ ଖଡ଼ଗେ ସାମାଜିକ ଗଣମାଧ୍ୟମ ଏକ୍ସରେ କହିଥିଲେ ଯେ ଉତ୍ତରପ୍ରଦେଶରେ ବିଜେପି କ୍ରମାଗତ ଦୁଇ ପାଳି ଶାସନରେ ରହିଛି।
ଏବେ ରାଜ୍ୟବାସୀ ପରିବର୍ତ୍ତନ ଓ ସାମାଜିକ ନ୍ୟାୟ ଚାହୁଛନ୍ତି। ଆଗାମୀ ନିର୍ବାଚନ ଦେଶର ରାଜନୀତିକୁ ନୂଆ ଦିଶା ଦେବ ବୋଲି ସେ କହିଥିଲେ। ବୈଠକରେ ରାଜ୍ୟର ରାଜନୈତିକ ସ୍ଥିତି ଓ ନିର୍ବାଚନ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସାଂସଦ ଇମ୍ରାନ ମସୁଦ କହିଛନ୍ତି ଯେ, ଡିସେମ୍ବର ପ୍ରଥମ ସପ୍ତାହରୁ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ ହେବ। ଖଡ଼ଗେଙ୍କ ରାଲି ଓ ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଏହା ଏକ ସାଂଗଠନିକ ବୈଠକ ଥିଲା। ଏଥିରେ ଆସନ ବଣ୍ଟନ ଅପେକ୍ଷା ମିଳିତ ଭାବେ ନିର୍ବାଚନ ଜିତିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ, ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ଆସନ ବଣ୍ଟନ ନେଇ ଆନୁଷ୍ଠାନିକ ଆଲୋଚନା ଏଯାଏ ଆରମ୍ଭ ହୋଇନାହିଁ। ତେବେ ମେଣ୍ଟ ଏକାଠି ରହିଛି ଏବଂ ମିଳିତ ଭାବେ ନିର୍ବାଚନ ଲଢ଼ିବ। ପରସ୍ପରକୁ ସମ୍ମାନ ଦେଇ ଆସନ ବଣ୍ଟନ କରାଯିବ ଏବଂ ସବୁଠୁ ଭଲ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଯିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.