ଭୁବନେଶ୍ୱର : ଥମୁନି ଯାତ୍ରା ପାର୍ଟିରେ ବିବାଦ । କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଥମିବାର ନାଁ ନେଉନି । ଏବେ ବିବାଦରେ ପଶି ଅଭିନେତାଙ୍କୁ ଟାର୍ଗେଟ କରିଛନ୍ତି ଯାତ୍ରା ପାର୍ଟି ପରିଚାଳକ । ଯାତ୍ରା ମାଲିକଙ୍କ ପ୍ରତି ଅଭିନେତା ବାପି ପଣ୍ଡା ଦେଇଥିବା ମନ୍ତବ୍ୟକୁ ଯାତ୍ରା ପରିଚାଳକଙ୍କ ନିନ୍ଦା । ପାର୍ବତୀ ଗଣନାଟ୍ୟ ଓ ରାଜଧାନୀ ଅପେରାର ମୁଖ୍ୟ ପରିଚାଳକ ଜଗତଜୀବନ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ବାପିଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ଯାତ୍ରା କଳାକାର ସଂଘ ବାପି ପଣ୍ଡା ଗତକାଲି ଯାତ୍ରା ମାଲିକଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପ୍ରତି ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ । ଏପରିକି ବାପି ପଣ୍ଡାଙ୍କୁ ଚ୍ୟାଲେଞ୍ଜ କରି କେଉଁ କଳାକାର ଓ କର୍ମଚାରୀଙ୍କୁ ତାଙ୍କ ଯାତ୍ରା ପାର୍ଟି ପାରିଶ୍ରମିକ ଦେଇନାହାନ୍ତି ବୋଲି ସେନେଇ ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ।
ଆଗାମୀ ଦିନରେ ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ମଧ୍ୟରେ କିପରି ସମନ୍ବୟ ରହିବ, କଳାକାରମାନଙ୍କ ଦରମା ସ୍ଥିର କରାଯିବ ଓ ଦର୍ଶକଙ୍କ ଟିକେଟ ଦାମକୁ କମାଇବା ଆଦି ଉପରେ ମାଲିକମାନେ ବିଚାର ବିମର୍ଶ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ଯାତ୍ରା ମାଲିକ ଓ କଳାକାରମାନଙ୍କ ଭିତରେ ଲାଗିଥିବା ବିବାଦର ସମାଧାନ ହେବ ବୋଲି କହିଛନ୍ତି ଜଗତଜୀବନ ପଣ୍ଡା । ତେବେ ଏନେଇ ବାପି ପଣ୍ଡାଙ୍କ ପ୍ରତିକ୍ରିୟା ମିଳିନପାରିନାହିଁ ।
