ହିଂସାକାଣ୍ଡ ପରେ ଟ୍ରେନରେ ଯାଇ ମୁର୍ଶିଦାବାଦରେ ପହଞ୍ଚିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: ମୁର୍ଶିଦାବାଦରେ ପହଞ୍ଚିଲେ ପଶ୍ଚିମବଙ୍ଗ ରାଜ୍ୟପାଳ । ହିଂସାସ୍ଥଳ ବୁଲି ଦେଖିବା ସହ ପୀଡିତଙ୍କ ସହ କଥା ହେବେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାସ୍ଥଳକୁ ନଯିବାକୁ ଅନୁରୋଧ କରିବା ପରେ ବି ତାଙ୍କ କଥାକୁ ଏଡାଇ ଦେଇ ଶେଷରେ ହିଂସାସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ।

ତେବେ ଟ୍ରେନ ଯୋଗେ ମାଲଦାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁର୍ଶିଦାବାଦରେ ଯାଇ ପହଞ୍ଚିଛନ୍ତି । ଯେଉଁଠି ସେ ପୀଡିତଙ୍କ ପରିବାରକୁ ଭେଟି ତାଙ୍କ ସହ ଆଲୋଚନା କରିବେ । ଗତ ଏପ୍ରିଲ ୧୧ ତାରିଖରେ ଓ୍ୱାକଫ୍ ଆଇନ ବିରୋଧରେ ହେଉଥିବା ପ୍ରତିବାଦ, ଆଉ ଏହି ସମୟରେ ଘଟିଥିବା ହିଂସାରେ କିଛି ହିନ୍ଦୁ ପରିବାର ସ୍ଥାନାନ୍ତରିତ ହେଇ ଆସି ମାଲଦାରେ ଆଶ୍ରୟ ନେଇଛନ୍ତି । ଆଉ ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ସେହି ପୀଡିତ ପରିବାରଙ୍କୁ ଭେଟିବାକୁ ମାଲଦାରେ ପହଞ୍ଚିଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ କହିବା ଅନୁଯାୟୀ, ସେ ପରିସ୍ଥିତିର ସମୀକ୍ଷା କରିବେ ଏବଂ ପ୍ରଭାବିତ ପରିବାର ସହିତ କଥା ହେବେ । ଏହାସହିତ କେନ୍ଦ୍ର ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ । ତେବେ ପଶ୍ଚିମବଙ୍ଗରେ ହିଂସାର ଯୁଗ ଶେଷ ହେବା ଉଚିତ ତାହାଲେ ଯାଇ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହୋଇପାରିବ ।

ବୁଧବାର ମୁଖ୍ୟମନ୍ତ୍ରୀ ମମତା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ମୁର୍ଶିଦାବାଦ ଜିଲ୍ଲା ଗସ୍ତକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେ ସମୟରେ କହିଥିଲେ ଯେ, ବିଶ୍ୱାସ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉଥିବାରୁ ମୁଁ ରାଜ୍ୟପାଳଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ଅପିଲ କରିବି । ହେଲେ ମମତାଙ୍କ ମନା କରିବା ସତ୍ତ୍ୱେ ମଧ୍ୟ ରାଜ୍ୟପାଳ ମାଲଦାରେ ଯାଇ ପହଞ୍ଚିଛନ୍ତି ।
ତେବେ ରାଜ୍ୟପାଳଙ୍କ ମାଲଦା ଗସ୍ତ ପୂର୍ବରୁ, ଗୁରୁବାର ବିଜେପିର ପଶ୍ଚିମବଙ୍ଗ ମୁଖ୍ୟ ସୁକାନ୍ତ ମଜୁମଦାର ମୁର୍ଶିଦାବାଦ ଦଙ୍ଗାରେ ବାସହୀନ ହୋଇଥିବା କିଛି ଲୋକଙ୍କୁ ରାଜଭବନକୁ ନେଇ ରାଜ୍ୟପାଳଙ୍କୁ ଭେଟିଥିଲେ । ଏହି ପୀଡିତମାନେ ରାଜ୍ୟପାଳଙ୍କୁ ସେମାନଙ୍କର ଦୁଃଖଦ କାହାଣୀ କହିଥିଲେ । ଏହାପରେ ଶୁକ୍ରବାର ସକାଳେ ପଶ୍ଚିମବଙ୍ଗ ରାଜ୍ୟପାଳ ଟ୍ରେନ ଯୋଗେ ମାଲଦା ଅଭିମୁଖେ ଯାତ୍ରା କରିଥିଲେ ।

ଅନ୍ୟପକ୍ଷରେ, ମୁର୍ଶିଦାବାଦ ହିଂସା ପରେ, ଜାତୀୟ ମାନବାଧିକାର କମିଶନ ଏବଂ ଜାତୀୟ ମହିଳା କମିଶନର ଦଳଗୁଡ଼ିକ ମଧ୍ୟ ଆଜି ମାଲଦାର ରିଲିଫ୍ ଶିବିର ପରିଦର୍ଶନ କରିଛନ୍ତି । NHRC ଦଳ ମାଲଦାର ଲାଲପୁର ହାଇସ୍କୁଲରେ ସ୍ଥାପିତ ରିଲିଫ୍ ଶିବିର ପରିଦର୍ଶନ କରିଥିଲେ, ଯେଉଁଠାରେ ଶହ ଶହ ବିସ୍ଥାପିତ ଆଶ୍ରୟ ନେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁର୍ଶିଦାବାଦ ହିଂସାରେ ଏପର୍ଯ୍ୟନ୍ତ ତିନି ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୭୪ରୁ ଅଧିକଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି ।

nis-ad
Leave A Reply

Your email address will not be published.