କଟକ: କଟକ ବୟାଳିଶ ମୌଜାରେ ବେଆଇନ ବନ୍ଧୁକ କାରବାର ଘଟଣା । ୩ ବନ୍ଧୁକ ବେପାରୀଙ୍କୁ ୨ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚର ଏସଟିଏଫ୍ । ମହମ୍ମଦ ଅଜମ ଓରଫ ବୁଧୁ, ମହମ୍ମଦ ଆଲମ୍ , ମହମ୍ମଦ ଅବିଡ ହୁସେନଙ୍କୁ ରିମାଣ୍ଡରେ ଅଣାଯାଇଛି । ଏହି ତିନି ଜଣଙ୍କ ଠାରୁ STF ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆଦାୟ କରୁଛି । ସେମାନେ ବିହାର ଓ ଓଡ଼ିଶାରେ ବନ୍ଧୁକ ସପ୍ଲାଏ କରିଥିବା ସୂଚନା ମିଳିଛି । ଓଡ଼ିଶାରେ କାହା ସହ ବନ୍ଧୁକ କାରବାର ହୋଇଛି ତାକୁ ନେଇ ଛାନବିନ୍ କରୁଛି STF । ଏହାସହ ମନି ଟ୍ରେଲ ନେଇ ମଧ୍ୟ ଖୋଳତାଡ କରୁଛି । ଅଧିକ ତଦନ୍ତ ପାଇଁ ବିହାର ଅଭିମୁଖେ STF ଟିମ୍ ।
ସୂଚନା ଅନୁସାରେ ମାର୍ଚ୍ଚ ୧୩ ତାରିଖରେ କଟକ ବୟାଳିଶମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଚାଲିଥିଲା । ଏ ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସେଠାରୁ ୩୦ରୁ ଅଧିକ ବନ୍ଧୁକ ଜବତ ହୋଇଥିଲା । ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା ଓ ୩୦ରୁ ଅଧିକ ବନ୍ଧୁକ ସହିତ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଓ ମେସିନ ଜବତ କରିଥିଲା ପୋଲିସ ।. ଏହି କରବାରର ଚେର ବାୟାଲିଶ ମୌଜା ଧୂଳେଶ୍ଵରରୁ ପଶ୍ଚିମବଙ୍ଗ ଦେଇ ବିହାରକୁ ଲମ୍ବି ଥିବା ପ୍ରାଥମିକ ଭାବରେ ଜଣାପଡ଼ିଥିଲା । ଏଥିରେ ବ୍ୟବହୃତ ଲୁହା ପ୍ଲେଟକୁ ଘଷି ଗଦା ଭିତରେ ଲୁଚାଇ ରଖାଯାଉଥିଲା । ବନ୍ଧୁକ ପ୍ରସ୍ତୁତ ହେବା ପରେ ଏହାକୁ ନେଇ ଘର ପଛ ପଟ ଏକ ଗାତରେ ପୋତାଯାଇ ରଖାଯାଉଥିଲା । ସୁପାରୀ କିଲରଙ୍କ ଠାରୁ ବଡ଼ ବଡ଼ ଅପରାଧିକ ତତ୍ୱ ଏଠାକୁ ଆସି ଏହି ବନ୍ଧୁକ କିଣି ନେଉଥିଲେ । ସବୁ କିଛି ରାତିର ଅନ୍ଧାରରେ ହେଉଥିଲା । ତେବେ ଦୀର୍ଘ ଦିନ ଧରି ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଣ କରାଯାଉଥିଲା ।
