ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଞ୍ଚ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କେଉଁ ମାନଙ୍କ ସହ କଲ୍ ରେ ଯୋଗାଯୋଗ କରିଥିଲା ଗୋପାଳ ସେନେଇ ଖୋଳତାଡ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ ।
ଆବଶ୍ୟକ ପଡିଲେ କଲ୍ ରେକର୍ଡ ଡାଟା ମିଳିବା ପରେ କିଛି ଅନ୍ୟ ବ୍ୟକ୍ତିଙ୍କୁ ଜେରା ହୋଇପାରେ ବୋଲି ସୂଚନା ରହିଛି । ସ୍ପଟ୍ ଇନ୍କ୍ୱାରୀ ସହ କ୍ରାଇମ୍ବ୍ରାଞ୍ଚର ଫାଷ୍ଟ ଷ୍ଟେପ ଇନ୍କ୍ୱାରୀ ସରିଛି ।
ତେବେ ଗତକାଲି ପୁଣି ବାପା ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲା ପୁଅ ବିଶାଳ ଦାସ । ଏନେଇ ବିଶାଳ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଯାହା କହିବା କଥା ସବୁ କହି ସାରିଛୁ । ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି ଭରସା ରହିଛି ।
ଏହା ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ସ୍ୱର୍ଗତଃ ନବ ଦାସଙ୍କ ପତ୍ନୀ ମୀନତି ଦାସ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ଏହି ଆଲୋଚନା ସମୟରେ ତାଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ଟିକ ନିକ କରି ତଦନ୍ତ କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ ।
