ପୋଖରୀ ପାଣିରେ ବୁଡି ୨ ଭିନ୍ନକ୍ଷମ ମହିଳା ମୃତ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମ ବଡବନ୍ଧ ପୋଖରୀ ପାଣିରେ ବୁଡି ୨ ଜଣ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକା ମହିଳା ମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ କୁମ୍ଭାର ସାହିର ଯୋଗିନ୍ଦ୍ର ଡାକୁଆଙ୍କ ଝିଅ ସ୍ବପ୍ନା ଡାକୁଆ (୩୦) ଓ ରଞ୍ଜନ ସ୍ବାଇଁଙ୍କ ଝିଅ ଜ୍ୟୋତି ସ୍ବାଇଁ (୧୯) । ପ୍ରକାଶ ଯେ, ପ୍ରତିଦିନ ଭଳି ବୁଧବାର ଅପରାହ୍ନରେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ କୁମ୍ଭାର ସାହିର ସ୍ବପ୍ନା ଓ ଜ୍ୟୋତି ସାଥି ହୋଇ ଗ୍ରାମ ବଡବନ୍ଧ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟଧରି ୨ ଭିନ୍ନକ୍ଷମ ମହିଳା ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ସନ୍ଧ୍ୟାରେ ଗ୍ରାମର କିଛି ମହିଳା ସଂପୃକ୍ତ ପୋଖରୀରେ ସ୍ନାନ କରୁଥିବା ବେଳେ ପୋଖରୀ ପାଣିରେ ୨ ମହିଳା ଭାସୁଥିବା ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବର ପାଇ ଗ୍ରାମର କିଛି ଲୋକେ ପୋଖରୀକୁ ଯାଇ ଭାସୁଥିବା ୨ ଭିନ୍ନକ୍ଷମ ମହିଳାଙ୍କ ଉଦ୍ଧାର କରିଥିଲେ। ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଏସଆଇ ସୁରେଶ କୁମାର ସାହୁ ଓ ଏଏସଆଇ ଅନନ୍ତ ଶବର ଓ ପୁଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ୨ ମହିଳାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସଂପୃକ୍ତ ୨ ଭିନ୍ନକ୍ଷମ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ପୋଖରୀ ପାଣିରେ ସ୍ନାନ କରୁଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସି ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୮/୨୫ ଓ ୯/୨୫ ରେ ୨ ଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଗୁରୁବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।‌ ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।‌

nis-ad
Leave A Reply

Your email address will not be published.