ବିବାହର ପ୍ରତିଶୃତି ଦେଇ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁର୍ଷ୍କମ ଓ ହତ୍ୟା ଉଦ୍ୟମ

ହିଞ୍ଜିଳିକାଟୁ : ଜୈନିକା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁର୍ଷ୍କମ କରିବା ଓ ପରବର୍ତ୍ତୀ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଖାଦ୍ୟରେ ବିଷ ଦେଇ ହତ୍ୟା ଉଦ୍ୟମ କରିବା ଭଳି ହିଞ୍ଜିଳି ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି। ପ୍ରତାରଣାର ଶିକାର ହେବା ପରେ ମହିଳା ଜଣଙ୍କ ନିରୁପାୟ ହୋଇ ଶେଷରେ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଅଭିଯୋଗ ପ୍ରକାରେ, ଗତ ୨୦୧୩ ମସିହାରେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ନବ ଦଳାଇଙ୍କ ଝିଅ ନୟନି ଦଳାଇ (୩୭)ଙ୍କ ସହ ପୁରୁଷୋତ୍ତମପୁର ଥାନା ଅରଖପୁର ଗ୍ରାମର ଭୀମ ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନଙ୍କ ସହ ବାହାଘର ହୋଇଥିଲା।‌ ବାହାଘରର କିଛି ବର୍ଷ ପରେ ସ୍ବାମୀ – ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡି ବାପାଘରେ ଆଶ୍ରୟ ନେଇଥିଲେ। ଏହି ସମୟରେ ମହିଳାଙ୍କ ବାପା ଘର ଗ୍ରାମର ଶିବରାମ ପରିଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଶିବରାମଙ୍କ ସହ ତାଙ୍କ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଥିବା କହି ନୟନିଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଏଥିରେ ମହିଳା ଜଣଙ୍କ ରାଜି ନହେବାରୁ ଶିବରାମ ବିଷପାନ କରି ଆତ୍ମହତ୍ୟା କରିବି ବୋଲି କହିଥିଲେ। ଶିବରାମ ମାର୍ଚ୍ଚ ୧୧ ତାରିଖରେ ମହିଳାଙ୍କୁ ନେଇ ଫେରାର ହୋଇଯାଇଥିଲେ। ଦୁହେଁ ଭୂବନେଶ୍ବର ଏକ ଭଡାଘରେ ରହିଥିଲେ।‌ ସେଠାରେ ୬ ଦିନ ରହିବା ପରେ ମହିଳାଙ୍କୁ ଏକାକୀ ଛାଡି ଶିବରାମ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ନୟନୀ ନିଖୋଜ ହୋଇଯାଇଥିବା ନେଇ ମହିଳାଙ୍କ ଭାଇ ଗୋପାଳକୃଷ୍ଣ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ମହିଳାଙ୍କ ମୋବାଇଲ ନଂ ଟ୍ରାକ୍ କରି ଭୂବନେଶ୍ବର ଅଞ୍ଚଳରୁ ଉଦ୍ଧାର କରିଥିଲା। ପରିବାର ଲୋକେ ମହିଳାଙ୍କୁ ଘରକୁ ନନେବାରୁ ପୁଲିସ ବ୍ରହ୍ମପୁର ସଖି କେନ୍ଦ୍ର ଓ ପରେ ଶକ୍ତି ସଦନ ଗୃହରେ ରଖାଯାଇଥିଲା। ସମୟ ସୁବିଧା ଦେଖି ଶିବରାମ ମହିଳାଙ୍କୁ ଫୋନ୍ କରି ପୁଣିଥରେ ବିବାହ କରିବା ପାଇଁ ପ୍ରତିଶୃତି ଦେବା ପରେ ମହିଳା ଜଣଙ୍କ ଶକ୍ତି ସଦନ ଗୃହରୁ ଫେରି ଆସି ଶିବରାମଙ୍କ ସହ ହିଞ୍ଜିଳି ଥାନା ନିମିଗାଁରେ ଏକ ଭଡା ଘରେ ରହିଥିଲେ। ବିବାହର ପ୍ରତିଶୃତି ଦେଇ ଶିବରାମ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ୧ ମାସ ପରେ ଶିବରାମ ମହିଳାଙ୍କୁ ବିବାହ କରିିବା ପାଇଁ ମନା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ପରେ ଖାଦ୍ୟରେ ବିଷ ମିଶାଇ ହତ୍ୟା ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ଖାଦ୍ୟ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୪୩/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ଶିବରାମଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

nis-ad
Leave A Reply

Your email address will not be published.