ଭୁବନେଶ୍ୱର: ଜାତୀୟ ଚିହ୍ନ ଅଶୋକସ୍ତମ୍ଭର ଅପବ୍ୟବହାରକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନକୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ । ଯଦି କୌଣସି ଠାରେ ଏହାର ଅପବ୍ୟବହାର କରାଯାଉଥିବାର ଘଟଣା ସାମ୍ନାକୁ ଆସିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।
ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମସଚିବ ଜି. ପାର୍ଥସାରଥି ମୁଖ୍ୟଶାସନ ସଚିବଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହବିଭାଗ ଯୁଗ୍ମସଚିବ ଶରତ ଚନ୍ଦ୍ର ମାରାଣ୍ଡି ୨୯ ମାର୍ଚ୍ଚରେ ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଥିବାବେଳେ, ଏପ୍ରିଲ ୧୭ରେ ଜଳସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଯାଇଛି ।
ଭାରତର ଜାତୀୟ ଚିହ୍ନ ଆଇନ-୨୦୦୫ ଏବଂ ନିୟମ-୨୦୦୭ ଓ ସଂଶୋଧନ ଆଇନ-୨୦୧୦ ଅନୁଯାୟୀ ଜାତୀୟ ଚିହ୍ନ କେବଳ ସରକାରୀସ୍ତରରେ ବ୍ୟବହାର ହେବା କଥା । କିନ୍ତୁ କେତେଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହାର ଉଲ୍ଲଂଘନ କରୁଥିବା ନଜରକୁ ଆସିଛି । କେତେକ ସ୍ଥାନରେ ଅଶୋକସ୍ତମ୍ଭ ତଳେ ସତ୍ୟମେବ ଜୟତେ ଦେବନାଗରୀ ଭାଷାରେ ଉଲ୍ଲେଖ ରହୁନାହଁ, ଯାହା କି ଜାତୀୟ ଚିହ୍ନ ପ୍ରତି ଅସମ୍ମାନ ହେଉଛି । ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ନିୟମକୁ ଠିକଣା ଭାବେ ପାଳନ କରିବା ଲାଗି ପତ୍ରରେ ଉଲ୍ଲେଖ ରହିଛି ।
