ଭୁବନେଶ୍ବର : ଅତୀତରେ ହଜାର ହଜାର ଚାଷୀଙ୍କ ଜୀବନରେଖା ପାଲଟିଥିବା ଚିରସ୍ରୋତା ଗଙ୍ଗୁଆନଦୀ ଆଜି ସଂପୂର୍ଣ୍ଣ ପ୍ରଦୂଷିତ । ଦିନେ ଯେଉଁ ଗଙ୍ଗୁଆନଦୀର ଜଳକୁ ଲୋକେ ପିଉଥିଲେ, ନଦୀରେ ଗାଧୋଉଥିଲେ, ଚାଷରେ ବ୍ୟବହାର କରୁଥିଲେ, ଆଜି କିନ୍ତୁ ସେଇ ନଦୀର ଜଳକୁ ଛୁଇଁବାକୁ ଲୋକେ ଡରୁଛନ୍ତି । ଗଙ୍ଗୁଆନଦୀର ନାଁ ଶୁଣିଲେ ଲୋକେ ନାକ ଟେକୁଛନ୍ତି । ସୁବଠାରୁ ବଡ କଥା ହେଲା, ଦୟାନଦୀରେ ମିଶିଥିବା ଏହି ଗଙ୍ଗୁଆର ବିଷାକ୍ତ ଜଳ ଯୋଗୁଁ ଦୟାନଦୀର ଜଳ ପ୍ରଦୂଷିତ ହେଉଛି । ଫଳରେ ନଦୀ ଅବବାହିକାର ଲୋକମାନେ ବିଭିନ୍ନ ପ୍ରକାର ଚର୍ମରୋଗ ଓ ପେଟଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗଙ୍ଗୁଆ ନଦୀ ଯୋଗୁଁ ପ୍ରଦୂଷିତ ହେଉଥିବା ଦୟାନଦୀର ଅନେକ ସ୍ଥାନରେ ଗାଧୋଇବା ତ’ ଦୂରର କଥା ଗୋଡ ବୁଡାଇଲେ ଚର୍ମରୋଗର ଶିକାର ହେବାକୁ ପଡୁଛି । ତେବେ, ଦୟାନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଗତ ସରକାର ଅମଳରେ ଯେଉଁ ଘୋଷଣା କରାଯାଇଥିଲା ତାହା କେବଳ କାଗଜ କଲମରେ ସୀମିତ ରହିଗଲା । ଆନ୍ତରିକତାର ଅଭାବରୁ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନଥିବା ଅଭିଯୋଗ ହୋଇଛି ।
ପିପିଲି, ଡେଲାଙ୍ଗ, କଣାସ ବ୍ଳକର ଜୀବନରେଖା କୁହାଯାଉଥିବା ଦୟାନଦୀ ଏବେ ପ୍ରଦୂଷିତ । ଏହି ନଦୀର ଜଳକୁ ବ୍ୟବହାର କରି କଣାସ ବ୍ଲକରେ ଝାଡାବାନ୍ତିରେ ଲୋକେ ପ୍ରାଣ ହରାଇଛନ୍ତି । ପିପିଲିର କଣାସ ପର୍ଯ୍ୟନ୍ତ ଏହି ନଦୀ ଜଳର ପ୍ରଦୂଷଣର ମାତ୍ରା ବହୁ ପରିମାଣରେ ବୃଦ୍ଧି ପାଇଛି । ଏହାର ଏକମାତ୍ର କାରଣ ହେଉଛି ଗଙ୍ଗୁଆନଦୀ । ଭୁବନେଶ୍ୱରରୁ ବାହାରିଥିବା ଗଙ୍ଗୁଆନଦୀ ବାରିମୂଳ ନିକଟ ବେଣାବିଲି ଠାରେ ଦୟାନଦୀରେ ମିଶିଛି । ଗଙ୍ଗୁଆନଦୀ ଅନେକ ଗୁଡିଏ ପ୍ରାକୃତିକ ଝରଣାର ସମଷ୍ଟିଗତ ପ୍ରବାହ । ଏହା ଚନ୍ଦକା ସଂରକ୍ଷିତ ଜଙ୍ଗଲର ପଥରଗାଡିଆ ଅଞ୍ଚଳରୁ ଉତ୍ପତି ହୋଇ ନନ୍ଦନକାନନ, ପଟିଆ, କଳାରାହାଙ୍ଗ, ଇଞ୍ଜିଣା, ମଞ୍ଚେଶ୍ୱର, ଚକେଇସିଆଣୀ, ରସୁଲଗଡ, ପଳାଶୁଣୀ ଆଦି ଅଞ୍ଚଳ ଦେଇ ଗତି କରିବା ପରେ ଦୁଇଭାଗରେ ବିଭକ୍ତ ହୋଇଛି । ଏହାର ଗୋଟିଏ ଭାଗ ସେଠାରେ କୁଆଖାଇ ନଦୀରେ ମିଶିଛି ଓ ଅନ୍ୟ ଭାଗଟି ଦକ୍ଷୀଣ ପଶ୍ଚିମ ଦିଗରେ ଗତି କରି ପାଣ୍ଡରା, ଝାରପଡା, ଲକ୍ଷୀସାଗର, ବରଗଡ, ଶିଶୁପାଳଗଡ ଦେଇ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ସାମନ୍ତରାପୁର ଠାରେ ଅତିକ୍ରମ କରି ସହରର ବାହ୍ୟ ଅଞ୍ଚଳ କପିଳପ୍ରସାଦ, ନୂଆଗାଁ, ଜୟପୁର, ମୋହନପୁର, ଇଟିପୁର, ପଳାଶପୁର, କଲ୍ୟାଣପୁର, ପୋପରଙ୍ଗା, ବିନ୍ଧା ଆଦି ଅଞ୍ଚଳଦେଇ ନିଜିଗଡକୁରୁଖୀ ସ୍ଥିତ ବେଣାବିଲି ଠାରେ ଦୟାନଦୀରେ ମିଶିଛି । ସମଗ୍ର ୪୫ କିଲୋମିଟର ଗତି ମଧ୍ୟରେ ଗଙ୍ଗୁଆ ୩୨ କିଲୋମିଟର ପ୍ରଦୂଷିତ ନାଳ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଏଥିମଧ୍ୟରୁ ୨୩ କିଲୋମିଟର ଭୁବନେଶ୍ୱର ସହର ଭିତର ଆବର୍ଜନା ଦ୍ୱାରା ଓ ୯ କିଲୋମିଟର ସହର ବାହାର ଅଞ୍ଚଳରେ ଥିବା ନାଳ, ନର୍ଦ୍ଧମା ଦ୍ୱାରା ପ୍ରଦୂଷିତ ହେଉଅଛି । ଏହି ନଦୀ ନିଜର ଗତିପଥରେ ମାତ୍ର ୧୩ କିଲୋମିଟର ଅପ୍ରଦୂଷିତ ଜଳ ତଥା ଭିନ୍ନ ଭିନ୍ନ ଅଞ୍ଚଳର ଅନ୍ୟାନ୍ୟ ଜଳପ୍ରବାହ ବହନ କରି ଗତି କରୁଅଛି ।
ଭୁବନେଶ୍ୱରରେ ନୂତନ ରାଜଧାନୀର ଯୋଜନା ସମୟରେ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥାକୁ ସେତେବେଳେ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ୱ ଦିଆଯାଇନଥିଲା । ଫଳସ୍ୱରୂପ ସହରର ସମସ୍ତ ପରିତ୍ୟକ୍ତ ପଦାର୍ଥ ଏବଂ ପ୍ରଦୂଷିତ ଜଳ ଗଙ୍ଗୁଆନଦୀରେ ମିଶିଲା । ଇତିମଧ୍ୟରେ ଭୁବନେଶ୍ୱରର ଜନସଂଖ୍ୟା ୧୨ଲକ୍ଷରୁ ଉର୍ଦ୍ଧ୍ବରେ ପହଞ୍ଚିଛି । କିନ୍ତୁ, ଜଳ ନିଷ୍କାସନର ସୁବ୍ୟବସ୍ଥା ଅଦ୍ୟାବଧି କରାଯାଇ ପାରିନାହିଁ । ଦେଶର ଅଗ୍ରଣୀ ସ୍ମାର୍ଟସିଟି ଭାବେ ପରିଗଣିତ ରାଜଧାନୀ ଭୁବନେଶ୍ୱରର ନାଳ, ବର୍ଜ୍ୟଜଳ ଓ ପରିମଳ ବ୍ୟବସ୍ଥା ଆଦୌ ଉନ୍ନତମାନର ନୁହେଁ ବୋଲି ଅଭିଯୋଗ ହୁଏ ।
ଗଙ୍ଗୁଆଜଳରେ ପ୍ରାୟ ୧୦ ଗୋଟି ବୃହତ ନାଳ ଦ୍ୱାରା ଭୁବନେଶ୍ୱର ସହରର ପ୍ରଦୂଷିତ ବର୍ଜ୍ୟଜଳ ସହିତ ବିଭିନ୍ନ ହୋଟେଲ, ବିମାନବନ୍ଦର, ଡାକ୍ତରଖାନା ଓ ଶିଳ୍ପସଂସ୍ଥା ଗୁଡିକର ଅପରିଷ୍କାର ଜଳ ଓ ବିଷାକ୍ତ ପଦାର୍ଥ ମିଶୁଅଛି । ଫଳରେ ଏହି ଜଳ କୃଷି, ପଶୁପକ୍ଷୀ ଅବା ମଣିଷର କୌଣସି କାମରେ ନଲାଗି ଓଲଟା ଭୟ ଓ ବିପଦ ସୃଷ୍ଟି କରୁଛି । କାରଣ ଆସିଏଆର୍ ବୈଜ୍ଞାନିକ ମାନେ ଏହି ଜଳକୁ ଗବେଷଣା କରି ସ୍ପଷ୍ଟ କରିଛନ୍ତି ଯେ, ଗଙ୍ଗୁଆର ଜଳରେ ଅତ୍ୟନ୍ତ ବିଷାକ୍ତ ଆର୍ସେନିକ, କାଡ୍ମିୟମ, କ୍ରୋମିୟମ, କପର, ଶୀଶା, ପାରଦ, ଜିଙ୍କ ଆଦି ବିଷାକ୍ତ ଧାତବ୍ୟ ଦ୍ରବ୍ୟ ମିଶି ଏହି ଜଳକୁ ବ୍ୟବହାର ଅନୁପଯୋଗୀ କରିଛି । ଭୁବନେଶ୍ୱରସ୍ଥ ବିଭିନ୍ନ ଶିଳ୍ପ ସଂସ୍ଥା, ହୋଟେଲ ଓ ହସ୍ପିଟାଲରୁ ନିର୍ଗତ ରାସାୟନିକ ପଦାର୍ଥ, କଠିନ ଓ ତରଳ ବର୍ଜ୍ୟବସ୍ତୁ ଏବଂ ବ୍ୟାକ୍ଟେରିଆ ଯୁକ୍ତ ଦୂଷିତ ଜଳ ଗଙ୍ଗୁଆ ନଦୀ ଦେଇ ପ୍ରତିଦିନ ଦୟାନଦୀରେ ମିଶୁଛି । ଫଳରେ ନଦୀରେ ଥିବା ମାଛମାନେ ମଧ୍ୟ ରୋଗାକ୍ରାନ୍ତ ହେଉଛନ୍ତି । ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରକାଶିତ ଏକ ଗବେଷଣାତ୍ମକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଗଙ୍ଗୁଆ ଜଳ ରୋଗ ଉତ୍ପାଦକ ଭୂତାଣୁ, ଜୀବାଣୁ ଦ୍ୱାରା ପରିପୂର୍ଣ୍ଣ । ଯାହା ପରିବେଶକୁ ନଷ୍ଟ କରିବା ସହ ପ୍ରଜୀବ, କୃମୀ ଆଦି ନିଜ ସାଙ୍ଗରେ ଧରିରଖିଛି । ଏହି ଜଳ ଦୀର୍ଘସମୟ ପର୍ଯ୍ୟନ୍ତ ରୋଗ ସୃଷ୍ଟିରେ ସହାୟକ ହେଉଛି ।
ଫଳରେ ଗଙ୍ଗୁଆର ଜଳ ଦୟାନଦୀରେ ପହଞ୍ଚିବା ପର୍ଯ୍ୟନ୍ତ କୌଣସି ଉପଯୋଗୀ କାମରେ ଲାଗିପାରୁନାହିଁ । ଦୟାନଦୀ ଓ ଗଙ୍ଗୁଆ ନଦୀର ସଙ୍ଗମ ସ୍ଥଳ ଠାରୁ ଦୟାନଦୀର ଜଳ ପ୍ରଦୂଷିତ ହେଉଛି । ଦୟାନଦୀ ଏବେ ପୋକ ସାଲୁବାଲୁ ଓ ଦୟାନଦୀର ପାଣି ଏବେ ଜହର ପାଲଟିଛି । ଦୟାନଦୀର ଜଳ ମୁଖ୍ୟତଃ ଏହାର ଦୁଇପାଶ୍ୱର୍ରେ ଥିବା ଗ୍ରାମବାସୀଙ୍କ ପାନୀୟ ଓ କୃଷିକାର୍ଯ୍ୟରେ ଲାଗିଥାଏ । କିନ୍ତୁ ଦୟାନଦୀ ପ୍ରଦୂଷିତ ହେବା ଦ୍ୱାରା ଏହାର ଜଳ ମଣିଷ ଓ ପଶୁଙ୍କ ବ୍ୟବହାର ପାଇଁ ଅନୁପଯୁକ୍ତ । ଏହି ଜଳକୁ ବ୍ୟବହାର କଲେ ନିଶ୍ଚିତ ରୋଗରେ ପଡିବାର ଭୟ ପିପିଲି, ଡେଲାଙ୍ଗ ଓ କଣାସ ବ୍ଳକର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ଏହି ଜଳ ଯୋଗୁଁ କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି । ନଦୀରେ ଗାଧୋଇବା ଦୂର କଥା ଗୋଡ଼ ବୁଡ଼ାଇଲେ ବିଭିନ୍ନ ଚର୍ମ ରୋଗ ହେଉଛି ବୋଲି ଅଭିଯୋଗ ହେଉଛି । ନଦୀ ଅବବାହିକାର ଲୋକମାନେ ନଦୀରେ ଗାଧୋଇବାକୁ ଆଉ ଉଚିତ ମଣୁନାହାନ୍ତି । ଏହି ନଦୀଜଳ ମନୁଷ୍ୟ ଠାରୁ ପଶୁପକ୍ଷୀଙ୍କ ପିଇବା ଏବଂ ଚାଷ ଉପଯୋଗୀ ପାଇଁ ବିପଦ ସୃଷ୍ଟି କରିଛି । ଦୟାନଦୀ ଜଳ ଚାଷ ପାଇଁ ଅନୁପଯୁକ୍ତ ବୋଲି ଆଇସିଏଆର ବୈଜ୍ଞାନିକମାନେ ମଧ୍ୟ ମତବ୍ୟକ୍ତ କରିଛନ୍ତି । ଅକ୍ଟୋବର ମଧ୍ୟଭାଗରୁ ଜୁନମାସ ମଧ୍ୟଭାଗ ଯାଏଁ ଦୟାନଦୀର ଜଳ ସର୍ବାଧିକ ପ୍ରଦୁଷିତ ଓ ବିଷାକ୍ତ ହୋଇଥାଏ, ଯେତେବେଳେ ଦୟାନଦୀର ଜଳସ୍ତର ସର୍ବନିମ୍ନ ଥାଏ । ପିପିଲିର କପକ୍ଷଗ୍ଧଟ୍ଟି ଠାରୁ ଡେଲାଙ୍ଗ, କଣାସ ଦେଇ ଚିଲିକାରେ ଲୀନହେବା ପର୍ଯ୍ୟନ୍ତ ଦୟାନଦୀରେ ଏହି ଅବସ୍ଥା ଦେଖିବାକୁ ମିଳେ । ୫/୬ ଦଶନ୍ଧି ପୂର୍ବେ ଏହିପରି ଅବସ୍ଥା ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକର ତଳି ଅଞ୍ଚଳରେ ଦେଖାଯାଉନଥିଲା । ଗଙ୍ଗୁଆ ଏକ ଝରଣା ଭଳି ବୋହି ଯାଉଥିଲା । ଏହାର ଜଳ ବିଶୁଦ୍ଧ ଥିଲା । କିନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ଯୋଜନା ବିହୀନ ଦୃତ ସହରୀକରଣ ଦ୍ୱାରା ଏହାର ଜଳ ଖରାପରୁ ଅତି ନିକୃଷ୍ଟ ହୋଇଛି ।
କେବଳ ସେତିକି ନୁହେଁ ରାଜଧାନୀ ଭୁବନେଶ୍ୱରର ୧୨ଲକ୍ଷରୁ ଉର୍ଦ୍ଧ ସହରୀବାସୀଙ୍କ ସୁଖ ଓ ସୁବିଧା ପାଇଁ ଆଖପାଖ ଗ୍ରାମମାନଙ୍କ ସରଳ, ସୁଖ ଓ ଶାନ୍ତିମୟ ଜୀବନ ନଷ୍ଟ ହେବାରେ ଲାଗିଛି । ଅନେକ ଲୋକେ ସାଧାରଣ ସ୍ତର ଠାରୁ ମଧ୍ୟ ନିମ୍ନ ସ୍ତରରେ ଜୀବନ ବିତାଉଛନ୍ତି । ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ବିଭିନ୍ନ ଜାତୀୟ ଅନୁଷ୍ଠାନର ବୈଜ୍ଞାନିକଙ୍କ ସହଯୋଗରେ ଏ ସଂପର୍କିତ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିଲା । ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଏହା ଉପରେ ବିଭିନ୍ନ ଯୋଜନା କରାଯିବା ପାଇଁ ପୂର୍ବ ସରକାରଙ୍କ ଅମଳରେ ଘୋଷଣା କରାଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ । ଗଙ୍ଗୁଆ ମୁହାଣରେ ଟ୍ରିଟମେପକ୍ଷଗ୍ଧଟ୍ଟ ପ୍ଲାପକ୍ଷଗ୍ଧଟ୍ଟ ସ୍ଥାପନ କରାଯାଇ ଦୟାନଦୀକୁ ପ୍ରଦୂଷଣମୁକ୍ତ କରାଯିବ ଏବଂ ବୁନ୍ଦାଏ ଅଶୋଧିତ ଜଳ ଦୟାକୁ ଛଡ଼ାଯିବନି ବୋଲି ୨୦୨୩ ଡିସେମ୍ବର ୭ରେ ତତ୍କାଳୀନ ସରକାର ପ୍ରତିଶୃତି ଦେଇଥିଲେ । ଦୟା ନଦୀ କିଭଳି ପ୍ରଦୂଷଣ ନହେବ ସେ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ୱାଟକୋ ଓ ବିଏମସିକୁ କଡ଼ା ନଜର ରଖିବାକୁ ତତ୍କାଳୀନ ସରକାର ନିର୍ଦ୍ଦେଶ ଦେଇଥିଲେ । ଦୟା ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ତତ୍କାଳୀନ ୫ଟି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଭୁବନେଶ୍ୱର ସହରରେ ରହିଥିବା ଶହଶହ ଶିଳ୍ପାନୁଷ୍ଠାନରୁ ନିର୍ଗତ ବର୍ଜ୍ୟଜଳ କିପରି ଉପଯୁକ୍ତ ବିଶୋଧନ କରାଯାଇ ପାରିବ, ସେଥିପାଇଁ ଇଡ଼କୋ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ବିଏମସି ମିଳିତ ଭାବେ ଯାଞ୍ଚ କରିବେ ବୋଲି ଏହି ବୈଠକରେ ସ୍ଥିର ହୋଇଥିଲା । ସେହିପରି ତତ୍କାଳୀନ ବିଏମସି ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦୟା ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯାଇଥିଲା । କିନ୍ତୁ ଫଳ ଘର ଶୂନ । ଏହି ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଯାଇଛି । ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏ ସଂପର୍କିତ କୌଣସି ଡିପିଆର୍ କୁ ଅନୁମୋଦନ କରାଯାଇପାରିନଥିବା ସୂଚନା ମିଳିଛି । ଆନ୍ତରିକତାର ଅଭାବରୁ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି ।
