ପହଲଗାମ ଆକ୍ରମଣ : ସନ୍ଦେହରେ ଜିପ୍ ଲାଇନ ଅପରେଟର

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ଜଣେ Zipline Operatorଙ୍କ ଦ୍ୱାରା “ଆଲ୍ଲାହୋ ଆକବର” କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବାପା ଏକ ବୟାନ ଦେଇଛନ୍ତି। ଅନନ୍ତନାଗ ଜିଲାରେ ଏପ୍ରିଲ ୨୨ରେ ଘଟିଥିବା ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ସମେତ ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରାଣ ହରାଇଥିଲେ। ଜିପଲାଇନ ଅପରେଟର ମୁଜମ୍ମିଲଙ୍କ ବାପା କହିଛନ୍ତି, “ମୁଁ ଭିଡିଓଟି ଦେଖିନାହିଁ… ହେଲେ ଆମେ ମୁସଲମାନ, ଯଦି ଝଡ଼ ଆସେ ତେବେ ମଧ୍ୟ ଆମେ ‘ଆଲ୍ଲାହୋ ଆକବର’ କହିବୁ।’
ଏହି ଘଟଣାରେ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ମୁଜମ୍ମିଲଙ୍କୁ ପଚରାଉଚୁରା କରୁଛି। କାରଣ ଜଣେ ଗୁଜରାଟର ପର୍ଯ୍ୟଟକ ରିଶି ଭଟ୍ଟଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ଅପରେଟର ତିନିଥର “ଆଲ୍ଲାହୋ ଆକବର” କହିଥିଲେ। ଏବଂ ତା’ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ରିଶି ଭଟ୍ଟ କହିଛନ୍ତି, “ମୋ ପୂର୍ବରୁ ୯ ଜଣ ଜିପଲାଇନ କରିଥିଲେ, କିନ୍ତୁ ଅପରେଟର କିଛି କହି ନଥିଲେ। ମୋ ପାଳିରେ ସେ ତିନିଥର କହିଲେ। ଏବଂ ତା’ପରେ ଗୁଳିବିନିମୟ ଆରମ୍ଭ ହେଲା। ମୋର ତାଙ୍କ ଉପରେ ସନ୍ଦେହ ଅଛି।”
ନ୍ୟାସନାଲ କନଫରେନ୍ସ ନେତା ଇମ୍ରାନ ନବି ଦାର ମୁଜମ୍ମିଲଙ୍କ ପକ୍ଷ ନେଇ କହିଛନ୍ତି, “ଯେତେବେଳେ କୌଣସି ବିପଦ ସାମ୍ନାକୁ ଆସେ, ଜଣେ ବ୍ୟକ୍ତି ସ୍ବାଭାବିକ ଭାବେ ଈଶ୍ୱରଙ୍କୁ ସ୍ମରଣ କରେ। ଅପରେଟର ଜଣେ ମୁସଲମାନ ଥିବାରୁ ସେ ଆଲ୍ଲାଙ୍କୁ ସ୍ମରଣ କଲେ। ଏହା ଏକ ସୱାଭାବିକ ପ୍ରକ୍ରିୟା। ମୁଁ ଅନୁରୋଧ କରୁଛି ଯେ ତଦନ୍ତକାରୀ ସଂସ୍ଥା ନିରୀହ ଲୋକଙ୍କୁ ଟାର୍ଗେଟ ନ କରନ୍ତୁ।
ଏହି ଆକ୍ରମଣକୁ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଶାଖା ‘ଦି ରେସିସ୍ଟାନ୍ସ ଫ୍ରଣ୍ଟ’ ଦୋଷ ନେବା ପରେ ଏବେ ମନା କରିଦେଇଛି। ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ସରକାର ଅଟାରୀ ସୀମାକୁ ବନ୍ଦ କରିଦେଇଛନ୍ତି ଏବଂ ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ଭାରତ ବିରୋଧୀ ମିଥ୍ୟା ଓ ଆକ୍ରୋଶମୂଳକ ପ୍ରଚାର କରିବା ଅଭିଯୋଗରେ ବ୍ୟାନ କରିଛନ୍ତି।
ଏନଆଇଏ ଏହି ଘଟଣାର ତଦନ୍ତ କରୁଛି ଏବଂ ବୈସାରଣ ଉପତ୍ୟକାରେ ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରଖିଛି। ସୁରକ୍ଷା ବାହିନୀ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀ ନେଟୱାର୍କ ନଷ୍ଟ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛି। ଏହି ଆକ୍ରମଣ ପରେ କଶ୍ମୀରର ୪୮ଟି ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷା କାରଣରୁ ବନ୍ଦ କରାଯାଇଛି।

nis-ad
Leave A Reply

Your email address will not be published.