ଇସଲାମାବାଦ: ପୁଣି ଭାରତକୁ ପରମାଣୁ ଧମକ । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ପ୍ରତିଶୋଧ ନେବାକୁ ପଣ କରିଥିବା ବେଳେ ଆତଙ୍କୀ ଆକ୍ରମଣରେ ପାକ୍ ସେନାର ସମ୍ପୃତି ମିଳିବା ପରେ ଏବେ ଆକ୍ରମଣ ମୁଦ୍ରାରେ ଭାରତ । ଆଉ ଭାରତର ଆକ୍ସନ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତକ୍ତା ପୁଣଇ ଥରେ ତେଜିଥିବା ବେଳେ ସୀମାରେ ଉତ୍ତେଜନା ଲାଗିରହିଛି । ଭାରତ ପାକିସ୍ତାନକୁ ପାନେ ଦେବାକୁ ବିରାଟ ଯୋଜନା କରୁଥିବା ବେଳେ ଏବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପାକ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଦେଇଛନ୍ତି ପରମାଣୁ ଆକ୍ରମଣର ଧମକ । ଭାରତକୁ ଖୁଲମ ଖୁଲା ଧମକ ଦେଇ ମରିୟମ କହିଛନ୍ତି- ପାକିସ୍ତାନ ଉପରେ ଆକ୍ରମଣ କରିବା ପୂର୍ବରୁ ଭାବିଚିନ୍ତି ଆକ୍ରମଣ କରିବା ଦରକାର ।
ଏକ ଜନସଭାକୁ ସମ୍ବୋଧିତ କଲାବେଳେ ମରିୟମ କହିଛନ୍ତି- ଭାରତ-ପାକିସ୍ତାନ ସୀମାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ଏବଂ ଇତିମଧ୍ୟରେ ଯୁଦ୍ଧର ବି ଆଶଙ୍କା କରାଯାଉଛି । କିନ୍ତୁ ଡରିବାର ନାହିଁ କାରଣ ଆଲ୍ଲା ଆମ ପାକିସ୍ତାନର ସେନାକୁ ଦେଶର ରକ୍ଷା ପାଇଁ ଏମିତି ଏକ ଶକ୍ତି ଦେଇଛନ୍ତି ଯାହା ଶତ୍ରୁଙ୍କୁ ମୁକାବିଲା କରିପାରିବ । ଆମ ପାଖେ ପରମାଣୁ ବୋମା ଅଛି । ପାକିସ୍ତାନ ଉପରେ ଯିଏ ବି ଆକ୍ରମଣ କରିବାକୁ ଯୋଜନା କରିବ ସିଏ ୧୦ ଥର ଭାବିବ । ତେଣୁ ପାକିସ୍ତାନ ଉପରେ ଆକ୍ରମଣ କରିବା ଏତେ ସହଜ ନୁହେଁ କହି ଭାରତକୁ ପାକିସ୍ତାନରୁ ଧମକ ଦେଇଛନ୍ତି ମରିୟମ ନୱାଜ୍ ।
ପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଥିଲେ ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ । ଭାରତର ଆକ୍ରମଣ ଭୟରେ ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀ ଭୟରେ ଥରହର୍ ହୋଇ ପରମାଣୁ ଆକ୍ରମଣର ଧମକ ଦେଇଥିଲେ ।
